Report Card Odisha

| Daily Odia News

ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ମୋଦି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉଜବେକିସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ଉଜବେକିସ୍ତାନର ଦୁଇ ଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ଶୌକତ ମିର୍ଜିୟୋୟେଭ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସମ୍ମାନ ଗ୍ରହଣ କରି ମୋଦି ଉଜବେକିସ୍ତାନ ସରକାର ଓ ଦେଶବାସୀଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଏହାକୁ ଭାରତ-ଉଜବେକିସ୍ତାନର ଦୃଢ଼ ଓ ଅତୁଟ ସମ୍ପର୍କକୁ ସମର୍ପିତ କରିଛନ୍ତି।ଏହି ଅବସରରେ ଉଜବେକିସ୍ତାନ ରାଷ୍ଟ୍ରପତି ମିର୍ଜିୟୋୟେଭ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଥିଲେ। ମୋଦି କେବଳ ଜଣେ ଦକ୍ଷ ରାଜନେତା ନୁହନ୍ତି, ସେ ଜଣେ ଦୂରଦର୍ଶୀ ନେତା ବୋଲି ସେ କହିଥିଲେ। ଭାରତୀୟଙ୍କ ମଧ୍ୟରେ ମୋଦିଙ୍କ ପ୍ରତି ଗଭୀର ବିଶ୍ୱାସ ଓ ସମ୍ମାନ ରହିଥିବା ସହ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସେ ଏକ ବଡ଼ ପରିଚୟ ସୃଷ୍ଟି କରିଥିବା ମିର୍ଜିୟୋୟେଭ୍ ଉଲ୍ଲେଖ କରିଥିଲେ।ଗତ କିଛି ବର୍ଷ ମଧ୍ୟରେ ଭାରତର ଦ୍ରୁତ ବିକାଶ ଏବଂ ବିଶ୍ୱ ମଞ୍ଚରେ ଦେଶର ବଢୁଥିବା ପ୍ରଭାବ ମୋଦିଙ୍କ ନେତୃତ୍ୱ ସହ ଜଡ଼ିତ ବୋଲି ଉଜବେକିସ୍ତାନ ରାଷ୍ଟ୍ରପତି କହିଥିଲେ। ମୋଦିଙ୍କ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହୋଇଥିଲା। ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବ୍ୟାପକ କରିବା ସହ ଭାରତ-ଉଜବେକିସ୍ତାନ ସମ୍ପର୍କକୁ ବ୍ୟାପକ ରଣନୈତିକ ଭାଗିଦାରିର ସ୍ତରକୁ ନେବା ନେଇ ଆଲୋଚନା ହୋଇଛି।ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ପ୍ରାୟ ୧ ବିଲିୟନ ଆମେରିକୀୟ ଡଲାରର ବାଣିଜ୍ୟ କାରବାର ରହିଛି। ଏହାକୁ ପ୍ରଥମ ପର୍ଯ୍ୟାୟରେ ୫ ବିଲିୟନ ଡଲାର ଏବଂ ପରେ ୧୦ ବିଲିୟନ ଡଲାରକୁ ବଢ଼ାଇବା ଲକ୍ଷ୍ୟ ରହିଛି।ଭାରତ-ଉଜବେକିସ୍ତାନ ରଣନୈତିକ ସହଭାଗିତାକୁ ମଜବୁତ କରିବା ଏବଂ ଦୁଇ ଦେଶର ସମ୍ପର୍କକୁ ଆହୁରି ଗଭୀର କରିବାରେ ମୋଦିଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥିବା କୁହାଯାଇଛି।

Breaking News