Report Card Odisha

| Daily Odia News

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର ୫ମ କିସ୍ତି ପ୍ରଦାନ କରିଛନ୍ତି। ରାଜ୍ୟର ୪୧ ଲକ୍ଷ ୩୫ ହଜାର ୯୭୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୩ ହଜାର ୯୪୯ ଭୂମିହୀନ କୃଷି ପରିବାରଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ୮୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ, ୨୦୨୬-୨୭ ରବି ଫସଲ ପୂର୍ବରୁ ବହିନ, ସାର ଓ କୀଟନାଶକ କିଣିବାରେ ଏହି ଅର୍ଥ ଚାଷୀମାନଙ୍କୁ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାଜପା ସରକାର ସର୍ବଦା ଚାଷୀ ଓ ଭୂମିହୀନ ପରିବାରଗୁଡ଼ିକର କଲ୍ୟାଣ ପାଇଁ ପ୍ରତିବଦ୍ଧ। କୃଷକଙ୍କ ସମୃଦ୍ଧି ହିଁ ଓଡ଼ିଶା ପ୍ରଗତିର ପ୍ରକୃତ ମୂଳଦୁଆ। ସିଏମ୍‌ କିଷାନ ଯୋଜନା ମାଧ୍ୟମରେ ସରକାର କେବଳ ଆର୍ଥିକ ସହାୟତା ପ୍ରଦାନ କରୁନାହାନ୍ତି, ବରଂ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କ ଶ୍ରମକୁ ଉଚିତ ସମ୍ମାନ ଦେଉଛନ୍ତି ବୋଲି | ସେ ଆହୁରି କହିଛନ୍ତି, ପୂର୍ବ ସରକାରଙ୍କ ଶାସନ କାଳରେ ପ୍ରାୟ ଅଢ଼େଇ ଦଶନ୍ଧି ଧରି ରାଜ୍ୟରେ କୃଷକଙ୍କ ମାସିକ ଆୟ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ୨୦୨୨ରେ ଓଡ଼ିଶାର କୃଷି ପରିବାରର ମାସିକ ଆୟ ମାତ୍ର ୫,୧୧୨ ଟଙ୍କା ଥିଲା, ଯାହା ସାରା ଦେଶରେ ୨ୟ ସର୍ବନିମ୍ନ ଥିଲା। ଝାଡ଼ଖଣ୍ଡ କେବଳ ଓଡ଼ିଶାଠାରୁ ତଳେ ଥିଲା। ସେତେବେଳେ ଚାଷୀମାନେ ‘ଢୋକେ ପି, ଦଣ୍ଡେ ଜି’ ନ୍ୟାୟରେ ଚାଷବାସ କରୁଥିଲେ। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସିଛି। ନୂଆ ସରକାର ଆସିବା ପରେ ଧାନ କିଣା ବାବଦକୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବାପରେ ଚାଷୀଙ୍କ ଆୟରେ ବୃଦ୍ଧି ଘଟିଛି। ସରକାର ଚାଷୀଙ୍କ ବାର୍ଷିକ ଆୟକୁ ଅତିକମ୍‌ରେ ୨ଗୁଣା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶାର ପ୍ରାୟ ୯୨ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଅଟନ୍ତି। ତେଣୁ ଚାଷୀମାନେ ସରକାରୀ ଯୋଜନାଗୁଡ଼ିକୁ ଆପଣାଇ ନିଜର ଉପାର୍ଜନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି। ଓଡ଼ିଶା କୃଷି କ୍ଷେତ୍ରରେ ପ୍ରଶଂସନୀୟ ଅଗ୍ରଗତି କରିଥିଲେ ହେଁ ଜଳବାୟୁ ପରିବର୍ତ୍ତନ, ଅନିୟମିତ ପାଣିପାଗ, ଜଳାଭାବ ଓ ମୃତ୍ତିକା କ୍ଷୟ ଭଳି ଗମ୍ଭୀର ସମସ୍ୟା କୃଷି ପାଇଁ ବିପଦ ସୃଷ୍ଟି କରୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୈବିକ ଚାଷ, ମାଣ୍ଡିଆ ଚାଷ ଏବଂ ପୁନରୁଦ୍ଧାରକାରୀ କୃଷିକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରାଯାଉଛି ବୋଲି ସେ କହିଛନ୍ତି। ସେ ପୁଣି କହିଛନ୍ତି, ଚଳିତ ୨୦୨୬-୨୭ ଖରିଫ ଋତୁ ପାଇଁ ଧାନ ପଞ୍ଜୀକରଣ ଅବଧିକୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନିକଟରେ ମୟୂରଭଞ୍ଜ,ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଆଦି ଜିଲାରେ ହୋଇଥିବା ପ୍ରବଳ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ୧୦୦୦ କୋଟି ଟଙ୍କାର ବିଶେଷ ସହାୟତା ପ୍ୟାକେଜ ଘୋଷଣା କରାଯାଇଛି। ରାଜସ୍ବ ଓ କୃଷି ବିଭାଗର କ୍ଷେତ୍ର କର୍ମଚାରୀଙ୍କ ଆକଳନ ରିପୋର୍ଟ ଆଧାରରେ ପ୍ରଭାବିତ ଚାଷୀଙ୍କୁ ଆଶୁ କ୍ଷତିପୂରଣ ଯୋଗାଇ ଦିଆଯିବ। ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ପି ସହ ରାଜ୍ୟର ଇନ୍‌ପୁଟ ସହାୟତା ମିଶାଇ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କ୍ରୟ କରାଯାଉଛି। ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି। ୨୦୨୫-୨୬ ଖରିଫ ଋତୁରେ ୧୮.୮୪ ଲକ୍ଷ ଚାଷୀଙ୍କଠାରୁ ୭୭.୪୮ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇ ଇନ୍‌ପୁଟ ସବ୍‌ସିଡି ବାବଦକୁ ରେକର୍ଡ ୫୬୬୩.୮୪ କୋଟି ଟଙ୍କା ଏବଂ ରବିଋତୁରେ ୩.୬୩ ଲକ୍ଷ ଚାଷୀଙ୍କୁ ୧୪୯୪.୮୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଚାଷୀ ପରିବାରର ପିଲାଙ୍କୁ ଉଚ୍ଚ ବୈଷୟିକ ଶିକ୍ଷା କ୍ଷେତ୍ରରେ ସହାୟତା ପାଇଁ କୃଷି ବିଦ୍ୟାନିଧି ଯୋଜନା କାର୍ଯ୍ୟକାରୀ ହେଉଛି। ୨୦୨୫-୨୬ ଶିକ୍ଷା ବର୍ଷରେ ରେକର୍ଡ ସଂଖ୍ୟକ ୬୮,୯୧୦ ଜଣ ହିତାଧିକାରୀଙ୍କ ସନ୍ତାନଙ୍କୁ ୨୯୧.୬୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ସରକାରୀ ସୁବିଧା ପାଇବା ଲାଗି ‘ଫାର୍ମର୍ସ ରେଜିଷ୍ଟ୍ରି’ରେ ଚାଷୀମାନେ ନିଜ ଜମିର ତଥ୍ୟ ସହ ପଞ୍ଜୀକରଣ କରିବା ଦରକାର। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, ବନ୍ୟା ପ୍ରଭାବିତଙ୍କ ପାଖରେ ସ୍ବଚ୍ଛତାର ସହ ସହାୟତା ରାଶି ପହଞ୍ଚିଯିବ। ସାର ଉପଲବ୍ଧ ନାହିଁ ବୋଲି ଯେଉଁ ଭ୍ରମାତ୍ମକ ପ୍ରଚାର କରାଯାଉଛି ସେଥିରେ ବିଶ୍ୱାସ କରନ୍ତୁ ନାହିଁ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଅଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯିଏ କି ଚାଷୀମାନଙ୍କୁ ସବୁଠାରୁ ଅଧିକ ସବ୍‌ସିଡି ପ୍ରଦାନ କରୁଛି। ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଭିନ୍ନ ଭିନ୍ନ ଜିଲାରେ ମନ୍ତ୍ରୀମାନଙ୍କୁ ଉପସ୍ଥିତ ରହିବାକୁ ଦାୟିତ୍ୱ ଦିଆଯାଇଥିଲା।

Breaking News