Report Card Odisha

| Daily Odia News

ନିର୍ବାଚନରେ ବିଜେପି କୁ ମାତ୍ର ୧ ଭୋଟ୍‌!…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନରେ ପୌର ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ସ୍ଥାନୀୟ ପର୍ବତସାର ମ୍ୟୁନିସିପାଲିଟି ୧୩ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ କୈଲାସ ଚାନ୍ଦ ସମ୍ପୂର୍ଣ୍ଣ ଭୋଟ ଗଣତି ଶେଷ ପରେ ମାତ୍ର ଖଣ୍ଡିଏ ଭୋଟ ପାଇ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚିତ ହୋଇ ପଡିଛନ୍ତି । ରାଜ୍ୟର ଏହି ପୌର ନିର୍ବାଚନରେ ବିଜେପି କଂଗ୍ରେସଠୁ ଆଗରେ ଥିବା ବେଳେ ଏହି ଦଳର ଜଣେ ପ୍ରାର୍ଥୀ ମାତ୍ର ଖଣ୍ଡିଏ ଭୋଟ ପାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଭୋଟ ଗଣତି ଶେଷ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ହୀନା ଖାନମ୍ ୩୭୬ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ତଳକୁ ଅଛନ୍ତି ସ୍ୱାଧୀନ ପ୍ରାର୍ଥୀ ରଶିଦ ଖାନ୍ । ରଶିଦଙ୍କୁ ମିଳିଛି ୧୯୫ ଖଣ୍ଡ ଭୋଟ । କିନ୍ତୁ କୌଲାଶ ଚାନ୍ଦକୁ ମାତ୍ର ୧ ଭୋଟ! ଏ ସମ୍ପର୍କରେ ପଚରାଯିବାରୁ କୈଲାଶ କହନ୍ତି, ‘ମୁଁ ୧୨ ନମ୍ବର ୱାର୍ଡର ଭୋଟର ହୋଇଥିବା ସ୍ଥଳେ ଦଳ ମୋତେ ୧୩ ନମ୍ବରରେ ପ୍ରାର୍ଥୀ କଲା । ତେଣୁ ମୋ ଭୋଟ ଖଣ୍ଡିକ ବି ମୁଁ ମୋ ନିଜକୁ ଦେଇପାରିଲିନି ।’ ଏହି ପୌରପାଳିକାର ମୋଟ ୨୫ଟି ୱାର୍ଡ ମଧ୍ୟରୁ ୧୩ଟିରେ କଂଗ୍ରେସ ଓ ୧୨ଟିରେ ବିଜେପି ବିଜୟୀ ହୋଇଛି ।

Breaking News