ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହକି ଇଣ୍ଡିଆରେ ଆଭ୍ୟନ୍ତରୀଣ କନ୍ଦଳ ବଢ଼ିବାରେ ଲାଗିଛି । ଜଲ୍ଦି ଏହି ବିବାଦ ନ ତୁଟିଲେ ତାଙ୍କ ମନ୍ତ୍ରାଳୟ ବାଧ୍ୟହୋଇ ହକି ଇଣ୍ଡିଆ ମାମଲାରେ ହସ୍ତକ୍ଷେପ କରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନ୍ସୁଖ ମାଣ୍ଡଭ୍ୟ ଚେତାବନୀ ଦେଇଛନ୍ତି। ନିକଟରେ ମାଣ୍ଡଭ୍ୟ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ଓ ସମ୍ପାଦକ ଭୋଳାନାଥ ସିଂହଙ୍କ ସହ ଗତ ବିଶ୍ବକପ୍ ଖେଳିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର କ୍ୟାପ୍ଟେନ ଓ ମୁଖ୍ୟ ପ୍ରଶିକ୍ଷକଙ୍କୁ ଭେଟି ଆଲୋଚନା କରିଥିଲେ। ସେମାନଙ୍କୁ କ୍ରୀଡ଼ାମନ୍ତ୍ରୀ ମାଣ୍ଡଭ୍ୟ କହିଥିଲେ, ମନ୍ତ୍ରାଳୟ କୌଣସି ମହାସଂଘର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବାକୁ ଚାହେଁନାହିଁ। କିନ୍ତୁ ଯଦି ମାମଲାର ସମାଧାନ ନହୁଏ; ତେବେ ଖେଳ କିମ୍ବା ଖେଳାଳି ଯେପରି ପ୍ରଭାବିତ ନହୁଅନ୍ତି; ତାହା ନିଶ୍ଚିତ କରିବାକୁ ମନ୍ତ୍ରାଳୟକୁ ହସ୍ତକ୍ଷେପ କରିବାକୁ ପଡ଼ିବ। ସୋମବାର ଦୁଇ ଗୋଷ୍ଠୀ ମଧ୍ୟରେ ଆଉ ଏକ ପର୍ଯ୍ୟାୟ ଟଣାଓଟରା ଦେଖିବାକୁ ମିଳିଥିଲା। ଭୋଳାନାଥ ସିଂହ ଦିଲୀପ ତିର୍କିଙ୍କ ପରାମର୍ଶରେ ସେପ୍ଟେମ୍ବର ୧୮ରେ କାର୍ଯ୍ୟକାରୀ ବୋର୍ଡର ଏକ ଜରୁରୀକାଳୀନ ବୈଠକ ଡାକିଥିବା ଦାବି କରିଛନ୍ତି। ଦିଲୀପ ଏହାକୁ ପ୍ରତ୍ୟାଖ୍ୟାନ କରି କେବଳ ସଭାପତିଙ୍କର ଏପରି ବୈଠକ ଡାକିବାର କ୍ଷମତା ଅଛି ବୋଲି କହିଥିଲେ। ଭୋଳାନାଥଙ୍କୁ ପତ୍ରରେ ଦିଲୀପ ଲେଖିଥିଲେ, ଆପଣଙ୍କୁ ମୋର ସ୍ପଷ୍ଟ ନିର୍ଦ୍ଦେଶ ରହିଛି, ଯେପର୍ଯ୍ୟନ୍ତ ହକି ଇଣ୍ଡିଆର ମହା ନିର୍ଦେଶକ ଶ୍ରୀବାସ୍ତବ ତାଙ୍କ ସ୍ପଷ୍ଟୀକରଣ ଦାଖଲ ନ କରିଛନ୍ତି; ସେପର୍ଯ୍ୟନ୍ତ କାର୍ଯ୍ୟକାରୀ ବୋର୍ଡ ବୈଠକ ଅନୁଷ୍ଠିତ ହେବ ନାହିଁ। ଆଗକୁ ଭୋଳାନାଥଙ୍କୁ ଆଦେଶ ଅମାନ୍ୟ ନକରିବାକୁ ଦିଲୀପ ଚେତାବନୀ ଦେଇଥିଲେ।






More Stories
ଏମାନଙ୍କର କଟିଯିବ ଗ୍ୟାସ କନେକ୍ସନ!…..
ଶେଖ୍ ହସିନାଙ୍କ ୭ ସହଯୋଗୀଙ୍କୁ ମୃତ୍ୟୁ ଦଣ୍ଡାଦେଶ…..
ଡିଜିପି ଚୟନ: ଆଜି ସୁପ୍ରିମକୋର୍ଟରେ ଶୁଣାଣି…..