ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉପହାର ସିନେମା ହଲ ଅଗ୍ନିକାଣ୍ଡ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣକୁ ନଷ୍ଟ କରିବା ମାମଲାରେ ଦିଲ୍ଲୀ କୋର୍ଟ ବ୍ୟବସାୟୀ ସୁଶୀଲ ଅନସାଲ, ଗୋପାଳ ଅନସାଲ ଏବଂ ଅନ୍ୟମାନଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ଅନସାଲ ଭାଇଙ୍କୁ କୋର୍ଟ ୨.୨୫ କୋଟି ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ, ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସୋମବାର ଦିନ ସୁଶୀଲ ଏବଂ ଗୋପାଳ ଅନସାଲଙ୍କୁ ଉପହାର ସିନେମା ହଲ ଅଗ୍ନିକାଣ୍ଡ ମାମଲାରେ ପ୍ରମାଣ ନଷ୍ଟ କରିଥିବାରୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏମାନଙ୍କ ବ୍ୟତୀତ କୋର୍ଟର ପୂର୍ବତନ କର୍ମଚାରୀ ଦୀନେଶ ଚାନ୍ଦ ଶର୍ମା, ଅନ୍ୟ ଦୁଇଜଣ ପିପି ବତ୍ରା ଏବଂ ଅନୁପ ସିଂଙ୍କୁ ମଧ୍ୟ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଗତ ମାସ ଅକ୍ଟୋବର ୮ରେ ଉପହାର ଅଗ୍ନିକାଣ୍ଡ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣକୁ ଟାମ୍ପରିଂ କରିଥିବାରୁ କୋର୍ଟ ବ୍ୟବସାୟୀ ସୁଶୀଲ ଏବଂ ଗୋପାଳ ଅନସାଲଙ୍କ ସହ ତିନିଜଣ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଉଲ୍ଲେଖ ଯୋଗ୍ୟ ଜୁନ୍ ୧୩, ୧୯୯୭ ରେ, ଦିଲ୍ଲୀର ଗ୍ରୀନ୍ ପାର୍କ ଅଞ୍ଚଳରେ ଥିବା ଉପହାର ସିନେମା ହଲରେ ଫିଲ୍ମ ‘ବର୍ଡର’ ପ୍ରଦର୍ଶିତ ହେଉଥିବାବେଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୫୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଯେଉଁଥିରେ ଦୁଇ ଅନସାଲ ଭାଇ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ସୁପ୍ରିମକୋର୍ଟ ସେମାନଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଜେଲରେ ବିତାଇଥିବା ସମୟକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ସର୍ତ୍ତ ରଖି ସେମାନଙ୍କୁ ମୁକ୍ତ କରିଥିଲେ |






More Stories
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..