ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିବିଆଇ ଓ ଇଡି ର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସର୍ବନିମ୍ନ ୨ବର୍ଷରୁ ୫ବର୍ଷକୁ ବୃଦ୍ଧି କରାଯିବ | ଏନେଇ କେନ୍ଦ୍ର ସରକାର ରବିବାର ଅଧ୍ୟାଦେଶ ଆଣିଛନ୍ତି । କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଅଧ୍ୟାଦେଶ ଉପରେ ମୋହର ମାରିଛନ୍ତି। ଅଧ୍ୟାଦେଶ ଦୁଇଟି ହେଲା ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ଏଷ୍ଟାବ୍ଲିସମେଣ୍ଟ (ସଂଶୋଧନ) ଅଧ୍ୟାଦେଶ, ୨୦୨୧ ଓ କେନ୍ଦ୍ରୀୟ ଭିଜିଲାନ୍ସ କମିସନ (ସଂଶୋଧନ) ଅଧ୍ୟାଦେଶ ୨୦୨୧। ଆସନ୍ତା ଶୀତ ଅଧିବେଶନରେ ସରକାର ସଂସଦରେ ଏହି ଦୁଇ ଅଧ୍ୟାଦେଶ ଉପରେ ବିଧେୟକ ଆଗତ କରିବେ। ପୂର୍ବରୁ ସିବିଆଇ ଓ ଇଡି ମହାନିର୍ଦେଶକ ପଦରେ ଜଣେ ଅଧିକାରୀଙ୍କୁ ୨ବର୍ଷ ପାଇଁ ନିଯୁକ୍ତି ଦିଆଯାଉଥିଲା। ଏହି ଦୁଇବର୍ଷର ଅବଧି ପୂର୍ବରୁ ସେମାନଙ୍କୁ ପଦରୁ ହଟାଯାଇପାରିବ ନାହିଁ। ତେବେ ସରକାର ଆଗ୍ରହ କରୁଥିଲେ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରିପାରୁଥିଲେ। ନୂଆ ଅଧ୍ୟାଦେଶ ଅନୁଯାୟୀ ଏହି ଦୁଇ ନିର୍ଦେଶକଙ୍କୁ ପ୍ରଥମେ ୨ବର୍ଷ ପାଇଁ ନିଯୁକ୍ତି ଦିଆଯିବ। ପରବର୍ତ୍ତୀ ସମୟରେ ଏହାକୁ ୧ବର୍ଷ ଲେଖାଏଁ କରି ୩ଥର (୩ବର୍ଷ) ବୃଦ୍ଧି କରାଯାଇପାରିବ। ତେବେ େକୗଣସି ଅଧିକାରୀଙ୍କୁ ସର୍ବାଧିକ ୫ବର୍ଷରୁ ଅଧିକ ସମୟ ପାଇଁ ଏହି ପଦରେ ନିଯୁକ୍ତି ଦିଆଯାଇପାରିବ ନାହିଁ। ସମ୍ପ୍ରତି ୧୯୮୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସୁବୋଧ ଜୟସ୍ବାଲ ସିବିଆଇର ନିର୍ଦେଶକ ପଦରେ କାର୍ଯ୍ୟ କରୁଛନ୍ତି। ସେହିପରି ୧୯୮୪ ବ୍ୟାଚ୍ ଆଇଆରଏସ୍ ଅଧିକାରୀ ସଞ୍ଜୟ କୁମାର ମିଶ୍ର ଇଡିର ମହାନିର୍ଦେଶକ ପଦରେ କାର୍ଯ୍ୟ କରୁଛନ୍ତି। ୧୯୯୭ ମସିହା ପୂର୍ବରୁ ସିବିଆଇ ନିର୍ଦେଶକଙ୍କ କାର୍ଯ୍ୟକାଳ ଅବଧିରେ କୌଣସି ସ୍ଥିରତା ନଥିଲା ଏବଂ ସରକାର ଯେକୌଣସି ସମୟରେ ତାଙ୍କୁ ହଟାଇ ପାରୁଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଅଧିକାରୀଙ୍କୁ ମୁକ୍ତ ଭାବରେ କାର୍ଯ୍ୟ କରିବାକୁ ସିବିଆଇ ନିର୍ଦେଶକଙ୍କ ସର୍ବନିମ୍ନ ଦୁଇ ବର୍ଷ କାର୍ଯ୍ୟକାଳ ସ୍ଥିର କରିଛନ୍ତି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……