ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ରହିଛି | ବୁଧବାର ପ୍ରଦୂଷଣ ସଂକ୍ରାନ୍ତରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅମଲାତନ୍ତ୍ର ଉପରେ ଉଦ୍ବେଗ ପ୍ରକାଶ କରିଛନ୍ତି । କୌଣସି ସ୍ଥିତିର ମୁକାବିଲା କ୍ଷେତ୍ରରେ ଅମଲାତନ୍ତ୍ର ‘କୌଣସି ପଦକ୍ଷେପ ଗ୍ରହଣ ନକରିବା’ ଭଳି ଆଚରଣ ଦେଖାଉଥିବାରୁ ସୁପ୍ରିମକୋର୍ଟ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। କୋର୍ଟ କହିଛନ୍ତି, ସେମାନେ କୌଣସି ନିଷ୍ପତ୍ତି ନେବାକୁ ଚାହୁନାହାନ୍ତି। କୋର୍ଟ କେବଳ ନିର୍ଦ୍ଦେଶ ଦେବେ ଏବଂ ସେମାନେ ଏହାକୁ କାର୍ଯ୍ୟକାରି କରି ହିଁ ଖୁସି ହେବେ। ତେବେ ଅମଲାତନ୍ତ୍ର ଏଭଳି ସ୍ଥିତିକୁ ଆସିଯିବା ବଡ଼ ଦୁର୍ଭାଗ୍ୟଜନକ ବୋଲି ଖଣ୍ଡପୀଠ କହିଛନ୍ତି। ପ୍ରଧାନ ବିଚାରପତି ଏନ୍ଭି ରମଣାଙ୍କ ଖଣ୍ଡପୀଠ କହିଛନ୍ତି, ଜଣେ ବିଚାରପତି ଭାବେ ମୁଁ ଏହା ହୃଦ୍ବୋଧ କରୁଛି ଯେ, ଅମଲାତନ୍ତ୍ର ସମ୍ପୂର୍ଣ୍ଣ ଭାବେ କିଛି ନକରିବା ଭଳି ଆଚରଣ ଆରମ୍ଭ କରିଛି। ଏହା ସକ୍ରିୟ ରହୁନାହିଁ। ଅମଲାତନ୍ତ୍ର କୌଣସି ନିଷ୍ପତ୍ତି ନେଉନାହିଁ। ‘କେମିତି କାର୍କୁ ଅଟକାଇବାକୁ ହେବ, କେମିତି ଗାଡ଼ି ଜବତ କରିବାକୁ ହେବ ଏବଂ କେମିତି ନିଆଁକୁ ଲିଭାଇବାକୁ ହେବ। ବାଲ୍ତି ନା ପୋଛା ଦ୍ବାରା ଲିଭାଇବାକୁ ହେବ। ସବୁ କିଛି କୋର୍ଟ ହିଁ କରିବେ। କାର୍ଯ୍ୟପାଳିକା ଦ୍ବାରା ଏଭଳି ଆଚରଣ ଦେଖିବାକୁ ମିଳିଛି’ ବୋଲି ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି। ଏହା ସହିତ ଗତକାଲି ଦିଲ୍ଲୀ-ଏନ୍ସିଆରରେ ପ୍ରଦୂଷଣ ସ୍ଥିତି ସଂକ୍ରାନ୍ତରେ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା କାର୍ଯ୍ୟକାରୀ କରିବାପାଇଁ କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଘରୁ କାମ କରିବାପାଇଁ କହିବା ସପକ୍ଷରେ ନାହାନ୍ତି। କାରଣ ମହାମାରୀ ପାଇଁ ବହୁ ଦିନର ବ୍ୟବଧାନ ପରେ ଏବେ ସ୍ଥିତି ସ୍ବାଭାବିକ ହୋଇଛି। ଦିଲ୍ଲୀରେ ଚାଲୁଥିବା ମୋଟ୍ ଗାଡ଼ିର ଖୁବ୍ କମ୍ ଅଂଶ କେନ୍ଦ୍ର ସରକାରୀ କର୍ମଚାରୀ ଚଳାଉଛନ୍ତି। ସେମାନଙ୍କୁ ବାରଣ କରିବା ଦ୍ବାରା ଏହା ବାୟୁର ମାନ ଉନ୍ନିତ କରିବା ଦିଗରେ ବିଶେଷ କିଛି ପ୍ରଭାବ ପକାଇବନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି, ଦିଲ୍ଲୀ ଏନ୍ସିଆର ପାଇଁ ବାୟୁର ମାନ ପରିଚାଳନା କମିସନ୍ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଶିଳ୍ପସଂସ୍ଥାଗୁଡ଼ିକ ଅସ୍ବୀକୃତ ଇନ୍ଧନ ବ୍ୟବହାର ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୧୦ ବର୍ଷରୁ ଊର୍ଦ୍ଧ୍ବ ପେଟ୍ରୋଲ ଗାଡ଼ି ଏବଂ ୧୫ ବର୍ଷରୁ ଊର୍ଦ୍ଧ୍ବ ଡିଜେଲ ଗାଡ଼ି ଚଳାଚଳ ବନ୍ଦ କରିବାକୁ କୁହାଯାଇଛି। ତୁରନ୍ତ ଦିଲ୍ଲୀ ରାସ୍ତାମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ସିଏନ୍ଜି ବସ୍ ଚାଲୁ କରିବାପାଇଁ କୁହାଯାଇଛି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ବୁଧବାର ବରିଷ୍ଠ ଓକିଲ ଅଭିଷେକ ମନୁ ସିଂହଭି କୋର୍ଟରେ କହିଛନ୍ତି, ଯଦି ନଡ଼ାପାଳ ଜାଳିବା ଦ୍ବାରା ୩-୪ ପ୍ରତିଶତ ପ୍ରଦୂଷଣ ହେଉଛି ତେବେ ଏହାର କିଛି ସମାଧାନ ଆବଶ୍ୟକତା ନାହିଁ। ଅନ୍ୟପକ୍ଷେ ଆଜି ପଂଜାବ ସରକାର କୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି, ନଡ଼ାପାଳ ନ ଜାଳିଲେ ସରକାର ପ୍ରତି କ୍ବିଣ୍ଟାଲ୍ ନଡ଼ାପାଳ ପିଛା ଚାଷୀଙ୍କୁ ୧୦୦ ଟଙ୍କା ଦେବେ। ନଡ଼ାପାଳ ନିଆଁ ଲିଭାଇବାପାଇଁ ପୁଲିସ ଏବଂ ଅଗ୍ନିନିର୍ବାପକ ଦଳ ମୁତୟନ ହେବେ। ହରିୟାଣା ସରକାର କୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି, ପିଏନ୍ଜି /ସିଏନ୍ଜି କ୍ଲିନର ଇନ୍ଧନ ବାଦ୍ ଅନ୍ୟ ଇନ୍ଧନରେ ଚାଲୁଥିବା ଶିଳ୍ପସଂସ୍ଥା ଗୁଡ଼ିକ ନଭେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ପାନିପତରେ ୨ଟି ଥର୍ମାଲ ପାୱାର ପ୍ଲାଣ୍ଟ୍ ନଭେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିଛି। ଦିଲ୍ଲୀରେ ପ୍ରଦୂଷଣ ରୋକିବା ଦିଗରେ ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ସରକାରଙ୍କ ଭୂମିକା ଉପରେ ମଧ୍ୟ ଖଣ୍ଡପୀଠ ବିଶେଷ ଗୁରୁତ୍ବାରୋପ କରିଛନ୍ତି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……