ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାର ନୂତନ ଓମିକ୍ରନ୍ ଭାରିଆଣ୍ଟ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରିଛନ୍ତି। ଏହି ବୈଠକ ରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ବ୍ୟତୀତ କ୍ୟାବିନେଟ ସଚିବ ରାଜୀବ ଗୌବା, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ମିଶ୍ର, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଏନଆଇଟିଆଇ ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲ ମଧ୍ୟ ଉପସ୍ଥିତ ରହିଥିଲେ | ବୈଠକରେ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ନିଆଯାଇଥିବା ନିଷ୍ପତ୍ତିର ପୁନଃସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଭାରିଏଣ୍ଟ ଉପରେ ଚିନ୍ତା ପ୍ରକାଶ କରି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସଠିକ୍ ଯାଞ୍ଚ କରିବାକୁ ସେ କହିଛନ୍ତି। ବିଶେଷ କରି ଯେଉଁ ଦେଶରେ ନୂତନ ଭାରିଏଣ୍ଟର ବିପଦ ଅଧିକ ରହିଛି, ସେଠାରୁ ଆସୁଥିବା ଯାତ୍ରୀଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ କୁହାଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ନୂତନ ଭାରିଏଣ୍ଟକୁ ନେଇ ସମଗ୍ର ଦେଶରେ ଜିଲ୍ଲାସ୍ତରରେ ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣର ଟିକିନିକି ଯାଞ୍ଚ ସହ ନୀରିକ୍ଷଣ ଜାରି ରହିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଏଣ୍ଟ ଓମିକ୍ରନର ପ୍ରକୋପକୁ ଦୃଷ୍ଟିରେ ରଖି ଅନେକ ଦେଶ ନିଜର ଉଡାଣ ଉପରେ କଟକଣା ଜାରି କରିଛନ୍ତି। ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି ଅନେକ ଦେଶ। ଭାରତ ମଧ୍ୟ ଆଲର୍ଟ ମୋଡରେ ରହିଛି। ମୁମ୍ବାଇରେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଯାତ୍ରୀଙ୍କ ପାଇଁ କ୍ଵାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି। କୁହାଯାଉଛି କରୋନାର ନୂତନ ଭାରିଏଣ୍ଟ ଓମିକ୍ରନ ଡେଲ୍ଟା ଏବଂ ଡେଲ୍ଟା ପ୍ଲସଠୁ ଅନେକ ଗୁଣ ଅଧିକ ସଂକ୍ରାମକ ଏବଂ ବିପଦଜ୍ଜନକ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..