ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାତ୍ୟା ‘ଜୱାଦ’ ପ୍ରଭାବରେ ଭୁବନେଶ୍ୱର-କଟକର କିଛି ସ୍ଥାନରେ ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଟ୍ୱିନ୍ ସିଟିକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେହିପରି ଆସନ୍ତାକାଲି ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିପାରେ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱର ଓ କଟକରେ କିଛି ସ୍ଥାନରେ ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟରର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏପରିକି ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ବର୍ଷା ଯୋଗୁ ଦୁଇ ସହରର ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି। ପବନ ଯୋଗୁ ଗଛ ଗୁଡ଼ିକର ଡାଳ ଭାଙ୍ଗିପାରେ। ଏଥିପାଇଁ ପ୍ରସ୍ତୁତ ରହିବାକୁ ସରକାରଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ପୁରୀ ଠାରୁ ୧୮୦ କିମି ଦୂରରେ ଅଛି ଗଭୀର ଅବପାତରେ ପରିଣତ ହୋଇସାରିଥିବା ବାତ୍ୟା ‘ଜଓ୍ୱାଦ’। ସେହିପରି ଗୋପାଳପୁରଠୁ ୧୩୦ କିମି ଓ ପାରାଦୀପ ଠାରୁ ୨୭୦ କିମି ଦୂରରେ ଏହା ରହିଛି। ଆଉ କିଛି ସମୟ ପରେ ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ଅବପାତରେ ପରିଣତ ହୋଇ ଏହା ଆଜି ମଧ୍ୟାହ୍ନରେ ପୁରୀ ପାଖାପାଖି ପହଞ୍ଚିବ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..