Report Card Odisha

| Daily Odia News

ଭଡ଼ାଘରୁ ମହିଳା ବ୍ୟାଙ୍କ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୋଖରୀପୁଟ ଗଣ୍ଡମୁଣ୍ଡା ଲେକ୍‌ ଭ୍ୟାଲିର ଏକ ଭଡ଼ାଘରେ ଜଣେ ମହିଳା ବ୍ୟାଙ୍କ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣକ ହେଲେ ସୁଲୋଚନା ଗମାଙ୍ଗୋ (୨୭) । ସ୍ୱାମୀଙ୍କ ନାଁ ସମ୍ବୁରୁ ଶବର । ଘର ଗଜପତି ପାରଳାଖେମୁଣ୍ଡି ରାମଗିରିରେ । ସୁଲୋଚନା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନସ୍ଥିତ ୟୁକୋ ବ୍ୟାଙ୍କ ମୁଖ୍ୟ ଶାଖାରେ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ । ଖଣ୍ଡଗିରି ଥାନା ପୋଲିସ ତାଙ୍କ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । କିନ୍ତୁ ସୁଲୋଚନାଙ୍କ ଘର କବାଟ ଖୋଲାଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ କହିଛି, ଲେକ୍‌ ଭ୍ୟାଲି ଲେନ୍‌ ନମ୍ବର-୩ର ପ୍ଲଟ ନମ୍ବର ୧୫୯୪/୫୦୩୯ରେ ରାଜେନ୍ଦ୍ରନାଥ ମିଶ୍ରଙ୍କ ବିଲ୍ଡିଂର ତୃତୀୟ ମହଲାରେ ସୁଲୋଚନା ଦୀର୍ଘ ୩ ବର୍ଷ ଧରି ରହୁଥିଲେ । ରବିବାର ସକାଳ ସାଢ଼େ ୧୦ଟା ଯାଏଁ ସେ ତଳକୁ ନ ଆସିବାରୁ ତାଙ୍କ ତଳ ମହଲାରେ ରହୁଥିବା ଭଡ଼ାଟିଆ ଜଣକଙ୍କର ସନ୍ଦେହ ହେଲା। ଉପରକୁ ଯାଇ ଦେଖିଲା ବେଳକୁ ଘର ମୁଖ୍ୟ କବାଟ ଖୋଲା ଥିଲା ଏବଂ ଘର ଭିତରେ ସୁଲୋଚନାଙ୍କ ମୃତଦେହ ଝୁଲୁଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରା ଉଚରା କରିଥିଲା । ସୁଲୋଚନାଙ୍କ ମୋବାଇଲ୍‌ ଫୋନ୍‌, ୫ଟି ଡାଏରୀ ଓ ଅନ୍ୟ କିଛି ସାମଗ୍ରୀ ପୋଲିସ ଜବତ କରିବା ସହ ସୁଲୋଚନାଙ୍କ ବାପାଙ୍କୁ ଖବର ଦେଇଥିଲା । ସୁଲୋଚନାଙ୍କ ପରିବାରବର୍ଗ ପାରଳାଖେମୁଣ୍ଡିରୁ ଆସି ଖଣ୍ଡଗିରି ଥାନାରେ ପହଞ୍ଚିଥିଲେ । ସୁଲୋଚନାଙ୍କ ସ୍ୱାମୀ ଉଦ୍ୟାନ କୃଷି ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ । କିନ୍ତୁ ୪ ବର୍ଷ ହେଲାଣି ଉଭୟେ ଅଲଗା ରହୁଛନ୍ତି । ବିବାହ ବିଚ୍ଛେଦ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହୁଏତ ସେ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥାଇପାରନ୍ତି | ଯେହେତୁ ଘର କବାଟ ଖୋଲାଥିଲା, କେହି ସୁଲୋଚନାଙ୍କ ଘରେ ପଶି ତାଙ୍କ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥାଇ ପାରେ ବୋଲି ମଧ୍ୟ ପୋଲିସ ସନ୍ଦେହ କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି |

 

 

Breaking News