Report Card Odisha

| Daily Odia News

୨୩ରେ ବସ୍ ମାଲିକ ସଂଘ ପକ୍ଷରୁ ପ୍ରତୀକ ଧର୍ମଘଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ଆସନ୍ତା ୨୩ ତାରିଖରେ ଅନୁଗୁଳ-ଭୁବନେଶ୍ବର ରୁଟ୍‌ରେ ୨୪ ଘଣ୍ଟିଆ ପ୍ରତୀକ ଧର୍ମଘଟ ଡାକରା ଦିଆଯାଇଛି । ସେହିଦିନ ଅନୁଗୁଳରୁ ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ବସ୍‌ରେ କଳା ପତାକା ଲଗାଇ ପ୍ରତିବାଦ କରାଯିବ। ଆସନ୍ତା ଜାନୁଆରି ୧ ତାରିଖରୁ ଉକ୍ତ ରୁଟ୍‌ରେ ଯାତ୍ରୀବାହୀ ବସ୍‌ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନୁଗୁଳ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଜିଲ୍ଲା ବସ୍‌ ମାଲିକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସଭାପତି ଲୋକନାଥ ପାଣିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଘର ଉପ ସଭାପତି ଶ୍ରୀକାନ୍ତ କୁମାର ପାଣି, କୋଷ‌ାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ, ସହ କୋଷାଧ୍ୟକ୍ଷ ଅଜୟ ବାରିକ, ମୁଖପାତ୍ର ଦେବାଶିଷ ନାୟକ, ଅନୁଗୁଳ ସଂଘର ସଭାପତି ମାନସ ସାମଲ, ସମ୍ପାଦକ ସନ୍ତୋଷ ମିଶ୍ର ଓ କୋଷାଧ୍ୟକ୍ଷ ଉପେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମୁଖପାତ୍ର ଶ୍ରୀ ନାୟକ କହିଛନ୍ତି ଯେ ୫୫ ନମ୍ବର ଜାତୀୟ ରାଜପଥର ଦୂରବସ୍ଥା ସମ୍ପର୍କରେ ଗତମାସ ୧୧ ତାରିଖରେ ରାଜ୍ୟ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୦୨୨ ଜୁନ୍‌ ସୁଦ୍ଧା ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଅଦ୍ୟାବଧି ଉକ୍ତ ରାସ୍ତାର ଅବସ୍ଥାରେ ସାମାନ୍ୟତମ ସୁଧାର ଆସିନଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଆସନ୍ତା ୬ ତାରିଖରେ ରାଜ୍ୟ ସରକାରଙ୍କୁ ପୁର୍ନବାର ସ୍ମାରକପତ୍ର ଦିଆଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ବୈଠକରେ ଅନୁଗୁଳ ସଂଘର ପୂର୍ବତନ ସଭାପତି ନରୋତ୍ତମ ମିଶ୍ରଙ୍କ ଉଦ୍ଦେଶ୍ୟରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା। ଏହି ବୈଠକରେ ଅନୁଗୁଳ, ତାଳଚେର, ଢେଙ୍କାନାଳ ଅଞ୍ଚଳର ବହୁ ବସ୍ ମାଲିକ ଯୋଗଦେଇଥିଲେ।

Breaking News