ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ବରରେ ଆୟୋଜିତ ହୋଇଥିବା କନିଷ୍ଠ ପୁରୁଷ ହକି ବିଶ୍ୱକପ୍ରେ ଆର୍ଜେଣ୍ଟିନା ବିଜୟ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ୧୨ଶ ସଂସ୍କରଣର ଫାଇନାଲରେ ଆର୍ଜେଣ୍ଟିନା ଲାଉଟାରୋ ଡୋମିକ୍ଙ୍କ ହ୍ୟାଟ୍ରିକ୍ ଗୋଲ ବଳରେ ୬ଥର ବିଜେତା ଜର୍ମାନୀକୁ ୪-୨ ଗୋଲ୍ରେ ପରାସ୍ତକରି ୨ୟ ଥର ପାଇଁ ଟ୍ରଫି ଜିତିପାରିଛି। ଆର୍ଜେଣ୍ଟିନା ପୂର୍ବରୁ ୨୦୦୫ରେ ପ୍ରଥମଥର ପାଇଁ କନିଷ୍ଠ ପୁରୁଷ ହକି ବିଶ୍ୱକପ ବିଜେତା ହୋଇଥିଲା। ଅନ୍ୟପକ୍ଷରେ ୮ମ ଥର ଫାଇନାଲ ଖେଳିଥିବା ଜର୍ମାନୀ ୧୯୭୯ ପରେ ୨ୟ ଥର ପାଇଁ ଉପବିଜେତାରେ ସନ୍ତୁଷ୍ଟ ହୋଇଛି। ଲିଗ୍ ପର୍ଯ୍ୟାୟରେ ଜର୍ମାନୀ ନିକଟରୁ ପରାଜିତ ହୋଇଥିବା ଆର୍ଜେଣ୍ଟିନା ଫାଇନାଲରେ ସ୍ୱତନ୍ତ୍ର ରଣନୀତି ସହ ପଡ଼ିଆକୁ ଓହ୍ଲାଇଥିଲା। ୧୦ ମିନିଟ୍ରେ ଆର୍ଜେଣ୍ଟିନାକୁ ମ୍ୟାଚର ପ୍ରଥମ ପେନାଲ୍ଟି କର୍ଣ୍ଣର ମିିଳିଥିଲା। ଏଥିରୁ ଲାଉଟାରୋ ଡୋମିନ୍ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ୨ୟ କ୍ୱାର୍ଟରରେ ଜର୍ମାନୀ ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ଆର୍ଜେଣ୍ଟିନା କୌଣସି ସୁଯୋଗ ଦେଇନଥିଲା। ୨୪ ମିନିଟ୍ରେ ଆର୍ଜେଣ୍ଟିନାକୁ ୨ୟ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏଥିରୁ ଗୋଲ୍ଦେଇ ଲାଉଟାରୋ ଡୋମିକ୍ ଦଳକୁ ୨-୦ରେ ଆଗୁଆ କରିଥିଲେ। ୩୦ ମିନିଟ୍ରେ ଜର୍ମାନୀକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଜର୍ମାନୀ ମ୍ୟାଚକୁ ଫେରିବା ନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା। ୩୬ ମିନିଟ୍ରେ ଜର୍ମାନୀ ପକ୍ଷରୁ ଜୁଲିୟସ ହାନର ଗୋଲ ଦେଇ ମ୍ୟାଚକୁ ୧-୨ ସ୍ତରକୁ ଆଣିଥିଲେ। ଅନ୍ତିମ କ୍ୱାର୍ଟର ଖେଳ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୪୬ ମିନିଟ୍ରେ ଜର୍ମାନୀକୁ କ୍ରମାଗତ ୪ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। ୩ଟି ପେନାଲ୍ଟି କର୍ଣ୍ଣରକୁ ଆର୍ଜେଣ୍ଟିନା ଗୋଲରକ୍ଷକ ରୋକିଥିବା ବେଳେ ୪ର୍ଥ ପେନାଲ୍ଟି କର୍ଣ୍ଣରକୁ ମାସି ପିଫାଣ୍ଡ ଗୋଲରେ ପରିଣତ କରି ସ୍କୋର୍କୁ ୨-୨ ସ୍ଥତିକୁ ଆଣିଥିଲେ। ୫୦ ମିନିଟ୍ରେ ଆର୍ଜେଣ୍ଟିନାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଲାଉଟାରୋ ଡୋମିକ୍ ଗୋଲରେ ପରିଣତ କରି ଦଳକୁ ୩-୨ରେ ଆଗୁଆ କରିଥିଲେ। ୫୪ ମିନିଟ୍ରେ ଜର୍ମାନୀକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହା ବେକାର ହୋଇଥିଲା। ୬୦ ମିନିଟ୍ରେ ଆର୍ଜେଣ୍ଟିନା ପକ୍ଷରୁ ଅଗଷ୍ଟିନ ଫ୍ରାଙ୍କୋ ଗୋଲ ଦେଇ ଦଳକୁ ୪-୨ ଗୋଲରେ ବିଜୟୀ କରାଇଥିଲେ। ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେତା ଆର୍ଜେଣ୍ଟିନାକୁ ଟ୍ରଫି ପ୍ରଦାନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆନ୍ତର୍ଜାତିକ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା, ଅଲିମ୍ପିଆନ ଦିଲୀପ ତିର୍କୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଫାଇନାଲ ମ୍ୟାଚ୍ ସହ ଗତମାସ ୨୪ରୁ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରଥମଥର ପାଇଁ ଆୟୋଜିତ କନିଷ୍ଠ ପୁରୁଷ ବିଶ୍ବକପ୍ ହକିରେ ଯବନିକା ପଡ଼ିଛି। ବିଶ୍ବର ୧୬ଟି ଶ୍ରେଷ୍ଠ ଦଳ ବିଶ୍ବକପ୍ ଟ୍ରଫି ପାଇଁ ମୁକାବିଲା କରିଥିଲେ।
More Stories
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..
ଆଦାନୀ ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ….