ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଆହ୍ଵାନରେ ମଙ୍ଗଳବାର ବିରୋଧୀ ଦଳର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଛି। ଏଥିରେ ସୋନିଆ ରାଷ୍ଟ୍ରବାଦୀ ପାର୍ଟିର ପ୍ରମୁଖ ଶରଦ ପାଓ୍ଵାର ଏବଂ ବିରୋଧୀ ଦଳର ଅନେକ ବରିଷ୍ଠ ନେତାଙ୍କ ସହିତ ବୈଠକ କରିଛନ୍ତି। ବୈଠକରେ ବର୍ତ୍ତମାନର ଶୀତକାଳୀନ ଅଧିବେଶନରେ ବିରୋଧୀ ଦଳର ରଣନୀତିକୁ ନେଇ ଆଲୋଚନା ହୋଇଛି। ସୋନିଆଙ୍କ ବାସଭବନ ୧୦ ଜନପଥରେ ହୋଇଥିବା ବୈଠକରେ ପାଓ୍ଵାରଙ୍କ ସହିତ ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା, ଶିବସେନା ନେତା ସଞ୍ଜୟ ରାଉତ ଓ ଡିଏମକେ ନେତା ଆର ବାଲୁ ମଧ୍ୟ ସାମିଲ୍ ହୋଇଛନ୍ତି। କଂଗ୍ରେସ କହିଛି, ଆଗାମୀ ଦିନରେ ଏମିତି ଆହୁରି ବୈଠକ ହେବ। ଯଦ୍ଵାରା ସମସ୍ତ ବିରୋଧୀ ଦଳକୁ ଏକଜୁଟ୍ କରାଯାଇ ପାରିବ। ଏହି ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଉପସ୍ଥିତ ଥିଲେ। ସୂତ୍ର ଅନୁଯାୟୀ, ସୋନିଆ ଗାନ୍ଧୀ ଏହି ବୈଠକ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନକୁ ଆମନ୍ତ୍ରିତ କରାଯାଇଥିଲା। ଏହି ଦୁଇ ନେତା ବୈଠକ ପାଇଁ ରାଉତ ଓ ବାଲୁଙ୍କୁ ପ୍ରତିନିଧି ଭାବେ ପଠାଇଥିଲେ। ବିଶେଷ କରି ବିରୋଧୀ ଦଳର ନେତାଙ୍କ ଅଶୋଭନୀୟ ଆଚରଣ ପାଇଁ ଉପ ରାଷ୍ଟ୍ରପତି ୧୨ ଜଣ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଥିଲେ। ଏହାକୁ ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ରଣନୀତି ଉପରେ ଆଲୋଚନା ହୋଇଛି। ତେବେ ସବୁଠୁ ବଡ କଥା ଏହି ବୈଠକରେ ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ। ଏହାର କାରଣ କଂଗ୍ରେସ ସହ ଟିଏମସିର ସଂପର୍କ ଭଲ ନାହିଁ। ଟିଏମସି କଂଗ୍ରେସକୁ ଅଣଦେଖା କରି ବିରୋଧୀ ଦଳକୁ ଏକଜୁଟ୍ କରିବା କଂଗ୍ରେସକୁ ଶକ୍ତ ଝଟକା ଲାଗିଛି।






More Stories
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..