Report Card Odisha

| Daily Odia News

ପ୍ରତ୍ୟକ୍ଷ ଟିକସ ଆଦାୟରେ ୩୮% ବୃଦ୍ଧି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଗତବର୍ଷ ତୁଳନାରେ ଚଳିତବର୍ଷ ପ୍ରତ୍ୟକ୍ଷ ଟିକସ ଆଦାୟ ୩୮ ପ୍ରତିଶତ ଅଧିକ ରହିଛି। ଏଥିସହିତ ଗତବର୍ଷ ୫୨ ହଜାର କୋଟି ଟଙ୍କାର ରିଫଣ୍ଡ ଦିଆଯାଇଥିବାବେଳେ ଚଳିତବର୍ଷ ଏହା ୯୩ ହଜାର କୋଟି ଟଙ୍କାରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଅଧ୍ୟକ୍ଷ ନୀତୀନ ଗୁପ୍ତା ଏହି ସୂଚନା ଦେଇଛନ୍ତି। ଚଳିତବର୍ଷ ଜୁନ ୨୭ରେ ଶ୍ରୀ ଗୁପ୍ତା ସିବିଡିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ବଜେଟରେ ଅର୍ଥମନ୍ତ୍ରୀ ପ୍ରତ୍ୟକ୍ଷ କର ଆଦାୟ ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ‌ହାସଲ କରିବା ନେଇ ଶ୍ରୀ ଗୁପ୍ତା ଦୃଢ଼ ଆଶାବାଦୀ ଅଛନ୍ତି। ବଜେଟରେ ୧୪.୨୦ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ କର ଆଦାୟ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନର ଆଦାୟ ଧାରା ଯାହା ରହିଛି ତାହା ଉତ୍ସାହଜନକ ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୪.୮୦ ଲକ୍ଷ କୋଟି ଟଙ୍କାର ନିଟ୍ ଟିକସ ଆଦାୟ ହୋଇଛି। ଆମର ମୋଟ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ ୩୮ ପ୍ରତିଶତ ଅଧିକ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜୁଲାଇ ୩୧ ତାରିଖ ଆୟକର ରିଟର୍ଣ୍ଣର ଶେଷ ଦିବସ ରହିଥିଲା। ଚଳିତବର୍ଷ ଏହି ତାରିଖରେ ଆଉ କୌଣସି ବୃଦ୍ଧି କରାଯାଇନାହିଁ।ବର୍ତ୍ତମାନ ସୁଦ୍ଧା ଦେଶରେ ୬ କୋଟି ଆୟକର ରିଟର୍ଣ୍ଣ ଦାଖଲ ହେଲାଣି। ଏଥିସହିତ ଗତବର୍ଷ ତୁଳନାରେ ଆମେ ୬୮ ପ୍ରତିଶତ ଅଧିକ ରିଫଣ୍ଡ କରିସାରିଲୁଣି। ଯେତେ ଶୀଘ୍ର ସମ୍ଭବ ରିଫଣ୍ଡ ଦେବା ନେଇ ଆମେ ତତ୍ପର ରହିଛୁ ବୋଲି ସେ କହିଛନ୍ତି। ଆୟକର ପୋର୍ଟାଲ ସଂପର୍କରେ ସେ କହିଛନ୍ତି ଏହା ଠିକ୍‌ଭାବେ କାର୍ଯ୍ୟ କରୁଛି। ଆୟକର ରିଟର୍ଣ୍ଣ ଦାଖଲର ଶେଷଦିନ ଅର୍ଥାତ୍‌ ଜୁଲାଇ ୩୧ ତାରିଖର ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ୫.୧୭ ଲକ୍ଷ ରିଟର୍ଣ୍ଣ ପୋର୍ଟାଲ ଜରିଆରେ ଦାଖଲ ହୋଇଛି। ତେଣୁ ଏଥିରୁ ଜଣାପଡ଼ୁଛି ଯେ ଉକ୍ତ ପୋର୍ଟାଲ ଭଲଭାବେ କାର୍ଯ୍ୟ କରୁଛି। ସେହିଭଳି ରିଟର୍ଣ୍ଣ ଦାଖଲକାରୀଙ୍କ ଅଭିଜ୍ଞତା ମଧ୍ୟ ଭଲ ରହିଛି। ଫେସଲେସ୍ ସ୍କିମକୁ ସଫଳ କରିବା ପାଇଁ ଉଦ୍ୟମ ଚାଲିଛି। ଅଧିକାରୀଙ୍କ ପାଇଁ ଏସ୍‌ଓପି( ମାନକ କାର୍ଯ୍ୟ ସଂପାଦନ) ପ୍ରସ୍ତୁତ ହୋଇଛି। ଟିକସଦାତାମାନଙ୍କ ପାଇଁ ଭିଡିଓ କନଫେରେନ୍ସିଂ ସୁବିଧା ଉପଲବ୍ଧ କରାଯାଇଛି। ଫେସଲେସ ସ୍କିମ ପାଇଁ ୨୦ଟି କମିଟି ଗଠନ କରାଯାଇଛି, ଯାହାକୁ ସିବିଡିଟି ଅନୁଧ୍ୟାନ କରୁଛି ବୋଲି ଶ୍ରୀ ଗୁପ୍ତା ସୂଚନା ଦେଇଛନ୍ତି। ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି ଆୟକର ବିଭାଗ ପକ୍ଷରୁ ଯାଞ୍ଚ, ସର୍ଭେ ଏବଂ ଚଢ଼ଉ ସମେତ ନୋଟିସ ପ୍ରଦାନ କରାଯାଉଛି। ଜଣେ ଯେତେବେଳେ ଟିକସ ଫାଙ୍କୁଥିବାର ନିର୍ଭରଯୋଗ୍ୟ ସୂଚନା ଆମକୁ ମିଳେ ସେତେବେଳେ ଆମେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଉ ବୋଲି ସେ କହିଛନ୍ତି।

Breaking News