Report Card Odisha

| Daily Odia News

ଟ୍ୱିଟ୍‌ ଏଡିଟ୍ କରିହେବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଣିକି ଟ୍ୱିଟ୍‌କୁ ବି ଏଡିଟ୍ବ କରିପାରିବେ । ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟରକୁ ବହୁମାତ୍ରାରେ ବ୍ୟବହାର କରାଯାଉଛି। ବିଶିଷ୍ଟ ବ୍ୟକ୍ତି ଏବଂ ସରକାରୀ ସଂସ୍ଥା ଗୁଡ଼ିକ ମଧ୍ୟ ଏହା ମାଧ୍ୟମରେ ସୂଚନା ପ୍ରଦାନ କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଥରେ ପୋଷ୍ଟ୍ ହୋଇଥିବା ଟ୍ବିଟ୍‌କୁ ଏଡିଟ୍ କରାଯାଇ ପାରୁ ନଥିଲା। ଅର୍ଥାତ୍ କୌଣସି ତ୍ରୁଟିକୁ ସଂଶୋଧନ ବା ବିଷୟ‌ରେ କୌଣସି ପରିବର୍ତ୍ତନ କରାଯାଇ ପାରୁ ନଥିଲା। କିନ୍ତୁ ଟ୍ବିଟର ଆଜି ଏଡିଟ୍ ଫିଚର ସାମିଲ କରିଥିବା ଘୋଷଣା କରିଛି। ‘ଟ୍ବିଟର ବ୍ଲୁ’ ଅର୍ଥାତ୍ ପେଡ୍‌ ସର୍ଭିସ ବର୍ଗର ଗ୍ରାହକମାନେ ଏହି ସୁବିଧା ପାଇବେ। ଟ୍ବିଟର ବ୍ଲୁ ସେବା ଏବେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଉପଲବ୍ଧ ହେଉଛି। ଟ୍ବିଟର ବ୍ଲୁ ସେବା ପାଇଁ ୟୁଜରଙ୍କୁ ଅର୍ଥ ଦେବାକୁ ପଡ଼ିଥାଏ। ଏହାସତ୍ତ୍ବେ ବିଶ୍ବବ୍ୟାପୀ ଟ୍ବିଟର ବ୍ୟବହାରକାରୀଙ୍କ ମଧ୍ୟରେ ଏହାକୁ ନେଇ ଖୁସିର ଲହରି ଖେଳିଯାଇଛି। ଆଗାମୀ ଦିନରେ ସମସ୍ତଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ ବୋଲି ଆଶା ରହିଛି। ଉକ୍ତ କମ୍ପାନି କ୍ରୟ ପାଇଁ ୪୪ ବିଲିଅନ ଡଲାର ରାଜିନାମାରୁ ଓହରିଯିବାକୁ ଚେଷ୍ଟା ଚଳାଇଥିବା ଏଲନ ମସ୍କଙ୍କୁ କେତେକ ବ୍ୟକ୍ତି ଟ୍ବିଟରର ନୂଆ ଅପଡେଟ୍ ବିଷୟରେ ସୂଚନା ଦେବାକୁ ଯାଇ ତାଙ୍କୁ ଟ୍ୟାଗ୍ କରିଛନ୍ତି। ଟ୍ବିଟର ଅଳ୍ପ କିଛି ଲୋକଙ୍କ ମଧ୍ୟରେ ଏଡିଟିଂ ସେବାର ପରୀକ୍ଷାନିରୀକ୍ଷା କରୁଛି। କେଉଁସବୁ ସମସ୍ୟା ଉପୁଜୁଛି ଏବଂ ତାହାର ସମାଧାନ କିଭଳି କରାଯିବ ତାହା ଉପରେ କାର୍ଯ୍ୟ ଚାଲିଛି। ପରୀକ୍ଷଣ ସମୟରେ ଟ୍ବିଟ କରାଯିବାର ୩୦ ମିନିଟ ମଧ୍ୟରେ ଟ୍ବିଟ୍‌ର ଏଡିଟିଂ କରାଯାଇ ପାରିବ। ଟ୍ବିଟ୍‌କୁ ଏଡିଟ୍ କରାଯାଇଛି ବୋଲି ସେଥିରେ ସୂଚନା ଦେବାଲାଗି ଲେବେଲ୍, ଟାଇମଷ୍ଟାମ୍ପ ଏବଂ ଆଇକନ୍ ଆଦି ରହିବ। ୟୁଜରମାନେ ଟ୍ବିଟ୍ ଉପରେ କ୍ଲିକ୍ କରି ମୂଳ ଟ୍ବିଟ୍‌ରେ ‌କ’ଣ ପରିବର୍ତ୍ତନ କରାଯାଇଛି ତାହା ଦେଖିପାରିବେ। ବିଶ୍ବରେ ୩୨ କୋଟିରୁ ଅଧିକ ସକ୍ରିୟ ଟ୍ବିଟର ୟୁଜର ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏଡିଟ୍ ସୁବିଧା ପାଇଁ ଦାବି କରିଆସୁଛନ୍ତି।

 

 

 

Breaking News