Report Card Odisha

| Daily Odia News

ଦୁଇ ଆଇଏସ୍ ଆତଙ୍କୀ ଗିରଫ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍‌ର ଦୁଇ ଜଣ ସନ୍ଦିଗ୍ଧ ସଦସ୍ୟ ଗିରଫ ହୋଇଛନ୍ତି | କର୍ଣ୍ଣାଟକାର ଶିବମୋଗାରୁ ପୋଲିସ ଧରିଥିବା ଜଣାପଡିଛି । ୨୨ ବର୍ଷୀୟ ମାଜ ମୁନୀର ଅହମଦ ଓରଫ ମାଜର ଘର ମେଙ୍ଗାଲୁରୁରେ ଓ ୨୨ ବର୍ଷୀୟ ସୟିଦ ୟାସିନ ଶିବମୋଗାର ସିଦ୍ଧେଶ୍ୱର ଠାରେ ରୁହେ। ତେବେ ଏମାନଙ୍କର ଆଉ ଜଣେ ସହଯୋଗୀ ଶାରୀକ ଏବେ ଫେରାର ରହିଛି। ଧରାପଡ଼ିଥିବା ୨ ସନ୍ଦିଗ୍ଧ ଆତଙ୍କୀଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରିବା ପରେ ପୋଲିସ ସେପ୍ଟେମ୍ବର ୨୯ ଯାଏଁ ସେମାନଙ୍କୁ ରିମାଣ୍ଡରେ ନେଇଛି। କର୍ଣ୍ଣାଟକା ଗୃହମନ୍ତ୍ରୀ ଏ ଜ୍ଞାନେନ୍ଦ୍ର କହିଛନ୍ତି, “ଧରା ପଡ଼ିଥିବା ଦୁଇ ଯୁବକ ଓ ସେମାନଙ୍କର ଆଉ ଜଣେ ସହଯୋଗୀର ଲିଙ୍କ ଆଇଏସ ସହ ରହିଛି। ସେମାନଙ୍କୁ ଆଇପିସିର ବିଭିନ୍ନ ଧାରା ଓ ୟୁଏପିଏ ଭଳରେ ଗିରଫ କରାଯାଇଛି। ସେମାନେ କେଉଁ ସବୁ କାର୍ଯ୍ୟକଳାପରେ ସାମିଲରେ ଥିଲେ, ତା’ର ଯାଞ୍ଚ କରାଯାଇଛି।”ଏହି ୩ ଯୁବକ କର୍ଣ୍ଣାଟକାର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରିବାକୁ ଯୋଜନା କରିଥିବା ପୋଲିସର ପ୍ରାଥମିକ ତଦନ୍ତ ଜଣାପଡ଼ିଛି। ଶିବମୋଗା ଏସ୍‌ପି ବିଏମ ଲକ୍ଷ୍ମୀ ପ୍ରସାଦନ କହିଛନ୍ତି, ଭିଡି ସାବରକରଙ୍କ ଫଟୋକୁ ଅଗଷ୍ଟ ୧୫ରେ ଗାନ୍ଧି ବଜାର ନିକଟରେ ଲଗାଇବା ବେଳେ ଗଣ୍ଡୋଗୋଳ ହୋଇଥିଲା। ଏହି ସମୟରେ ପ୍ରେମ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା। ଏହାର ତଦନ୍ତ ଚାଲିଥିବା ବେଳେ କିଛି ଲୋକଙ୍କୁ ଜେରା କରାଯାଇଥିଲା। ଜେରା ବେଳେ ଆଇଏସ୍‌ ଲିଙ୍କରେ ଥିବା ୩ ଯୁବକଙ୍କ ପତ୍ତା ମିଳିଥିଲା। ତେବେ ପ୍ରେମ ସିଂହଙ୍କ ଛୁରା ମାଡ଼ ଘଟଣା ସହ ଏମାନଙ୍କର ଲିଙ୍କ ନାହିଁ। ହେଲେ ଏମାନଙ୍କ ଲିଙ୍କ ଆଇଏସ ସହ ରହିଛି। ୨୦୨୦ରେ ପଡ଼ୋଶୀ ଦକ୍ଷିଣ କନ୍ନଡ ଜିଲ୍ଲାର କାଦ୍ରୀ ପୋଲିସ ଷ୍ଟେସନରେ ବିବାଦୀୟ ପୋଷ୍ଟର ମାରିବା ଘଟଣାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଗିରଫ ଦୁଇ ଯୁବକଙ୍କ ନାଁ ରହିଥିଲା। ଏବେ ବି ସେମାନେ ଆତଙ୍କୀ କାର୍ଯ୍ୟକଳାପରେ ଜଡ଼ିଥିବା ସନ୍ଦେହ କରାଯାଉଛି। ସ୍ୱତନ୍ତ୍ର ପୋଲିସ ଟିମ୍‌ ପୂରା ଘଟଣାର ତଦନ୍ତ କରୁଥିବା ଏସ୍‌ପି କହିଛନ୍ତି|

Breaking News