Report Card Odisha

| Daily Odia News

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳକୁ ଝଟକା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା। ଆହତଜନିତ ସମସ୍ୟା କାରଣରୁ ଦୁଇ ତାରକା ଖେଳାଳି ଦୀପକ ହୁଡ୍ଡା ଏବଂ ମହମ୍ମଦ ଶାମି ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ବାଦ୍ ପଡିଛନ୍ତି। ଅନ୍ୟପକ୍ଷେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିସିସିଆଇ ବିଶ୍ରାମ ଦେଇଛି। ଏହି ତିନି ଖେଳାଳି ଦଳରେ ନହେବା ସିରିଜ୍‌ରେ ଭାରତ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିପାରେ। ପିଟିଆଇ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଦଳରେ ସ୍ଥାନ ମିଳିଛି। ଦୀପକ ହୁଡ୍ଡାଙ୍କ ସ୍ଥାନରେ ଶ୍ରେୟସ ଆୟର ଏବଂ ମହମ୍ମଦ ଶାମିଙ୍କ ବଦଳରେ ଉମେଶ ଯାଦବଙ୍କୁ ଦଳରେ ସାମିଲ୍ କରାଯାଇଛି। ଉମେଶ ଯାଦବ ଦଳ ସହିତ ସୋମବାର ତିରୁଅନନ୍ତପୁରମ ପହଞ୍ଚିଛନ୍ତି। ଦୀପକ ହୁଡ୍ଡାଙ୍କ ପିଠିରେ ଆଘାତ ଲାଗିଥିବା ରବିବାର ବିସିସିଆଇ ସୂଚନା ଦେଇଥିଲା। ଆହତ କାରଣରୁ ହୁଡ୍ଡା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ରେ ଚୟନ ପାଇଁ ଉପଲବ୍ଧ ନଥିଲେ। ଏବେ ଦୀପକ ହୁଡ୍ଡା ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ରିହାବରେ ରହି ପାରନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେପ୍ଟେମ୍ବର ୨୮ରେ ପ୍ରଥମ ଟି-୨୦ ମୁକାବିଲା ଖେଳାଯିବ। ଦ୍ଵିତୀୟ ମୁକାବିଲା ଅକ୍ଟୋବର ୨ ଗୌହାଟୀ ଏବଂ ତୃତୀୟ ଟି-୨୦ ଅକ୍ଟୋବର ୪ ଇନ୍ଦୋରରେ ଖେଳାଯିବ। ଏହା ପରେ ଲକ୍ଷ୍ନୌରେ ଅକ୍ଟୋବର ୬ରେ ପ୍ରଥମ ଦିନିକିଆ, ଅକ୍ଟୋବର ୯ରେ ରାଞ୍ଚିରେ ଦ୍ଵିତୀୟ ଦିନିକିଆ ଏବଂ ଅକ୍ଟୋବର ୧୧ରେ ଦିଲ୍ଲୀରେ ତୃତୀୟ ଦିନିକିଆ ଖେଳାଯିବ। ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ନାହିଁ।

Breaking News