ରିପୋର୍ଟ କାର୍ଡ / ଗାନ୍ଧୀନଗର
ଗୁଜରାଟର ମୋର୍ବି ଜିଲ୍ଲା ଅନ୍ତର୍ଗତ ମାଚ୍ଛୁ ନଦୀରେ ରବିବାର ସନ୍ଧ୍ୟାରେ ବଡ଼ଧରଣର ଅଘଟଣ ଘଟିଛି। ନଦୀର ଝୁଲା ପୋଲ ଭାଙ୍ଗିପଡ଼ିବା ହେତୁ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। ତେବେ ଭୋର ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଥିବା ଜଣାପଡୁଛି । ମୃତକଙ୍କ ମଧ୍ୟରେ ୫୦ରୁ ଅଧିକ ମହିଳା ଓ ଶିଶୁ ଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି। ପୋଲ ଭାଙ୍ଗିବା ସମୟରେ ୫୦୦ରୁ ଅଧିକ ଲୋକ ସେଠାରେ ଥିଲେ। ଘଟଣା ଅନୁସାରେ, କ୍ଷମତାଠାରୁ ଅଧିକ ଲୋକଙ୍କ ଭିଡ଼ ଯୋଗୁ ଏହି ଐତିହାସିକ ପୋଲ ନଦୀରେ ଗଳି ପଡ଼ିଥିଲା। ପୋଲ ତଳେ ନଦୀରେ ୧୫ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଥିଲା । ନଦୀକୁ ଖସିପଡ଼ିଥିବା ଏବଂ ପୋଲରେ ଅଟକି ରହିଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର ପାଇଁ ଚିତ୍କାର କରିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ଦୁର୍ଘଟଣାରେ ଆହତ ଶତାଧିକ ବ୍ୟକ୍ତିଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୦୦ରୁ ଅଧିକ ଲୋକ ଏବେ ବି ନଦୀ ପାଣିରେ ନିଖୋଜ ଥିବା ସୂଚନା ମିଳିଛି | ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି। ଘଟଣାସ୍ଥଳରେ ବାୟୁସେନାର ଗରୁଡ଼ କମାଣ୍ଡୋ ବାହିନୀ, ସ୍ଥଳସେନା, ଏନ୍ଡିଆରଏଫ୍, ଏସ୍ଡିଆର୍ଏଫ୍ ଏବଂ ଜିଲ୍ଲାର ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଆତ୍ମୀୟଙ୍କୁ ଖୋଜୁଥିବା ଲୋକଙ୍କ ଲାଗି ଗୁଜରାଟ ସରକାର କଣ୍ଟ୍ରୋଲ ରୁମ୍ ଓ ହେଲ୍ପଲାଇନ୍ ନମ୍ବର (୦୨୮୨୨୨୪୨୨୦୦) ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାସ୍ଥଳରେ ସ୍ଥିତି ତଦାରଖ କରୁଛନ୍ତି। ଏ ସଂକ୍ରାନ୍ତରେ ମୋର୍ବି ମୁନିସିପାଲ କମିଶନର ସନ୍ଦିପ ସିଂ ଝାଲା କହିଛନ୍ତି ଯେ, ଉକ୍ତ ପୋଲ ସର୍ବସାଧାରଣଙ୍କ ପାଇଁ ଗତ ୨୬ ତାରିଖ ଖୋଲା ଯାଇଥିଲା। କିନ୍ତୁ କୌଣସି ସରକାରୀ ଅନୁମତି ନିଆଯାଇନଥିଲା। ଫଳରେ ଏଭଳି ଅଘଟଣା ଘଟିଲା ବୋଲି ସେ କହିଛନ୍ତି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..