Report Card Odisha

| Daily Odia News

୨୧ରୁ ପ୍ରାକ୍‌‌ ବଜେଟ ବୈଠକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୧ ତାରିଖରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍‌‌ ବଜେଟ ବୈଠକ ପର୍ଯ୍ୟାୟ ଆରମ୍ଭ କରିବେ। ଚଳିତ ମାସ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାସୂଚନାଯୋଗ୍ୟ ଯେ ଏହା ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ । ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ୨୧ରୁ ପ୍ରାକ୍‌‌ ବଜେଟ ବୈଠକ ଆରମ୍ଭ ହେବାକୁ ଯାଉଥିବା ବେଳେ ଅର୍ଥମନ୍ତ୍ରୀ ଚାରିଦିନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରର ଅଧିକାରୀଙ୍କ ସହିତ ସାତଟି ବୈଠକରେ ଯୋଗଦେବେ। ଏହାବ୍ୟତୀତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସହିତ ଜିଏସ୍‌‌ଟି ବୈଠକ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରାକ୍‌‌ ବଜେଟ ଆଲୋଚନା କରିବେ। ସେଥିରେ କେନ୍ଦ୍ର ବଜେଟରେ ରାଜ୍ୟସମୂହର ପ୍ରସ୍ତାବ ସମ୍ପର୍କରେ ବିଚାର ଆଲୋଚନା କରାଯିବ। ପ୍ରାକ୍‌‌ ବଜେଟ ବୈଠକରେ ଅର୍ଥମନ୍ତ୍ରୀ ଉଦ୍ୟୋଗ ଜଗତର ପ୍ରତିନିଧି, ବିଭିନ୍ନ ବିଜନେସ୍‌‌ ଚାମ୍ବର, କୃଷି କ୍ଷେତ୍ରର ପ୍ରତିନିଧିଙ୍କ ସହିତ କୃଷି ପ୍ରକ୍ରିୟାକରଣ ଶିଳ୍ପର ପ୍ରତିନିଧି, ଆର୍ଥିକ କ୍ଷେତ୍ର ଓ ପୁଞ୍ଜିବଜାର, ସର୍ଭିସେସ୍‌‌ ଏବଂ ବାଣିଜ୍ୟ ଆଦି କ୍ଷେତ୍ର ତଥା ସାମାଜିକ କ୍ଷେତ୍ର, ଶ୍ରମିକ ସଂଗଠନ ଏବଂ ଶ୍ରମ ସଂସ୍ଥାନ, ଅର୍ଥନୀତିଜ୍ଞମାନଙ୍କ ସହିତ ପୃଥକ ପୃଥକ ବୈଠକରେ ମିଳିତ ହେବେ। ଆସନ୍ତା ବଜେଟ ନିମନ୍ତେ ଅର୍ଥମନ୍ତ୍ରୀ ଏମାନଙ୍କ ନିକଟରୁ ଆବଶ୍ୟକ ପ୍ରସ୍ତାବ ଓ ପରାମର୍ଶ ଲୋଡିବେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ବଜେଟ ପ୍ରସ୍ତୁତି ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଅଂଶୀଦାର ଓ ସହଭାଗୀଙ୍କ ସହିତ ଅର୍ଥମନ୍ତ୍ରୀ ଆଲୋଚନା କରିଥାନ୍ତି। ନୀତି ଆୟୋଗ ମଧ୍ୟ ବଜେଟ୍‌‌କୁ ନେଇ ଉଦ୍ୟୋଗ ଜଗତର ପ୍ରତିନିଧିଙ୍କ ସହିତ ବୈଠକ ଆୟୋଜନ କରନ୍ତି | ଯେଉଁଥିରେ ନୀତି ଆୟୋଗର ଅଧ୍ୟକ୍ଷ ଭାବରେ ପ୍ରଧାନମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରନ୍ତି। ନିର୍ମଳା ସୀତାରମଣ ୨୦୨୩ ଫେବୃଆରୀ ୧ ତାରିଖରେ ତାଙ୍କର ନୂଆ ବଜେଟ୍‌‌ ଉପସ୍ଥାପନ କରିବେ। ସୀତାରମଣ ପୂର୍ବରୁ କହିସାରିଛନ୍ତି ଯେ ଆଗାମୀ ବଜେଟରେ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ଆଗକୁ ବଢ଼଼ାଇବା ସହିତ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ।

Breaking News