ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୧୯ରେ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୂର୍ବତନ ବ୍ରାଜିଲୀୟ କଂଗ୍ରେସ ନେତ୍ରୀ ଫ୍ଲୋର୍ଡେଲିସ୍ ଡସ୍ ସାଣ୍ଟୋସ୍ଙ୍କୁ ରିଓ ଡି ଜେନିରୋର ଏକ ଅଦାଲତ ୫୦ ବର୍ଷ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ରିଓ ଡି ଜେନିରୋର ବସ୍ତିମାନଙ୍କରୁ ନିରାଶ୍ରୟ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ଲାଗି ପ୍ରସିଦ୍ଧ ୬୧ ଡସ୍ ସାଣ୍ଟୋସ୍ ଏବଂ ତାଙ୍କ ସ୍ବାମୀ ପାଷ୍ଟର୍ ଆଣ୍ଡର୍ସନ୍ ଡୋ କାର୍ମୋ ବ୍ରାଜିଲ୍ରେ ଦ୍ରୁତ ବୃଦ୍ଧି ପାଉଥିବା ‘ଇଭାଞ୍ଜେଲିକାଲ୍ ଖ୍ରୀଷ୍ଟିଆନ୍ ଆନ୍ଦୋଳନ’ର ଟାଣୁଆ ଦମ୍ପତି ଥିଲେ। ୨୦୧୯ ଜୁନ୍ ମାସରେ ରିଓ ଉପନଗରୀସ୍ଥିତ ସେମାନଙ୍କ ବାସଭବନରେ ଗୁଳି ବର୍ଷଣ ଯୋଗୁଁ ଆଣ୍ଡର୍ସନ୍ ଡୋ କାର୍ମୋଙ୍କର ମୃତ୍ୟୁ ଘଟିଥିଲା। କେତେଜଣ ପ୍ରାପ୍ତ ବୟସ୍କ ପୋଷ୍ୟ ସନ୍ତାଙ୍କୁ ଅନ୍ତର୍ଭୁକ୍ତ କରି ପତ୍ନୀ ଡସ୍ ସାଣ୍ଟୋସ୍ ଉକ୍ତ ହତ୍ୟାକାଣ୍ଡ ଯୋଜନା କରି ତାହାକୁ ସଶସ୍ତ୍ର ଡକାୟତି ବୋଲି ଅଭିହିତ କରିବାକୁ ଉଦ୍ୟମ କରିଥିଲେ ବୋଲି ୨୦୨୦ରେ ସରକାରୀ ଓକିଲ ଅଭିଯୋଗ କରିଥିଲେ। ଡୋ କାର୍ମୋଙ୍କ ପୂର୍ଣ୍ଣ ନିୟନ୍ତ୍ରଣ ଓ ପରିଚାଳନାରେ ଥିବା ଆର୍ଥିକ ବ୍ୟବସ୍ଥାକୁ ଅକ୍ତିଆର କରିବା ପତ୍ନୀ ଡସ୍ ସାଣ୍ଟୋସ୍ ଉଦ୍ଦେଶ୍ୟ ଥିଲା ବୋଲି ସରକାରୀ ଓକିଲ କହିଛନ୍ତି। ଏହାଛଡ଼ା, ପୂର୍ବରୁ ୬ ଥର ବିଷ ଦେଇ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ପୂର୍ବତନ କଂଗ୍ରେସ ନେତ୍ରୀ ଡସ୍ ସାଣ୍ଟୋସ୍ ଉଦ୍ୟମ କରିଥିଲେ ବୋଲି ଜଣାପଡ଼ିଥିଲା। ଦଲିଲପତ୍ର ଜାଲିଆତି କରିବା ସହିତ ସଶସ୍ତ୍ର ଅପରାଧୀଙ୍କ ସହିତ ତାଙ୍କର ଯୋଗସୂତ୍ର ଥିଲା ବୋଲି ‘ପବ୍ଲିକ୍ ପ୍ରୋସେକ୍ୟୁଟର୍ସ ଅଫିସ୍’ ଅଭିଯୋଗ କରିଛି। ୨୦୧୮ରେ ଡସ୍ ସାଣ୍ଟୋସ୍ ରକ୍ଷଣଶୀଳ ‘ସୋସିଆଲ୍ ଡିମୋକ୍ରେଟିକ୍ ପାର୍ଟି’ରୁ କଂଗ୍ରେସ୍କୁ ନିର୍ବାଚିତ ହୋଇଥିଲେ। ଜେକାରିଜିନୋର ‘ରିଓ ଫେଭିଲା’ ବା ବସ୍ତିରେ ଜନ୍ମିତା ଡୋସ୍ ସାଣ୍ଟୋସ୍ଙ୍କୀ ୧୯୯୪ରେ ଡୋ କାର୍ମୋଙ୍କ ସହିତ ପରିଚୟ ହୋଇଥିଲା। ଦୁହେଁ ମିଶି ‘କମ୍ୟୁନିଟି ଅଫ୍ ଦି ଇଭାଞ୍ଜେଲିକାଲ୍ ମିନିଷ୍ଟ୍ରି ଫ୍ଲୋର୍ଡିଲିସ୍’ ସ୍ଥାପନ କରିଥିଲେ।






More Stories
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..
କେନ୍ଦ୍ରୀୟ ଅବକାରୀ ବିଲ୍ ପାସ୍…..