ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ସମ୍ବିଧାନ ଦିବସ ପାଳନ ଅବସରରେ ସୁପ୍ରିମ୍କୋର୍ଟ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଇଥିବା ଆହ୍ବାନ ଚର୍ଚ୍ଚାରେ | ଆସନ୍ତୁ ଜାଣିବା ରାଷ୍ଟ୍ରପତି କଣ କହିଛନ୍ତି – ଆମ ଦେଶର ଜେଲ୍ଗୁଡ଼ିକରେ ଏମିତି ଅନେକ କଏଦୀ ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ବିନା କାରଣରେ ଜେଲ୍ ଦଣ୍ଡ ଭୋଗି ଚାଲିଛନ୍ତି। କିଏ ୨୦ ବର୍ଷ, କିଏ ୨୫ ଆଉ କିଏ କିଏ ୩୦ ବର୍ଷ ହେଲାଣି ବନ୍ଦୀ ଜୀବନ ବିତାଉଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜାଣିନାହାନ୍ତି, କେଉଁ ଦୋଷରେ ସେମାନେ ଜେଲ୍ ଦଣ୍ଡ ଭୋଗୁଛନ୍ତି। ସେମାନଙ୍କ ପାଇଁ ନା କିଏ କହିବାକୁ ଅଛି, ନା ସେମାନଙ୍କ କଥା କିଏ ଶୁଣୁଛି। ମୌଳିକ ଅଧିକାର, ମୌଳିକ କର୍ତ୍ତବ୍ୟ କ’ଣ, ସେ ବିଷୟରେ ବି ତାଙ୍କର ଜ୍ଞାନ ନାହିଁ। ନ୍ୟାୟପାଳିକା ସେଭଳି ନିର୍ଯାତିତଙ୍କ କଥାକୁ ବିଚାର କରିବାକୁ ପଡ଼ିବ। ସେମାନଙ୍କୁ ବାହାରକୁ ଆଣି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାସ୍ତା ବାହାର କରିବାକୁ ପଡ଼ିବ। ଏଥିପାଇଁ ସାମୂହିକ ସ୍ତରରେ ଉଦ୍ୟମ ହେବା ଉଚିତ। ସମାଜରେ ‘ଚେକ୍-ଆଣ୍ଡ-ବାଲାନ୍ସ’ର କଥା ତ ରହିବା ଉଚିତ। କିନ୍ତୁ କିଛି ମାମଲାରେ ଆମ ସଭିଁଙ୍କ ଚିନ୍ତାଧାରା ଏକ ହେବାକୁ ପଡ଼ିବ। ଜେଲ୍ ନିର୍ଯାତିତଙ୍କ ପାଇଁ ରାଷ୍ଟ୍ରପତି ଅନ୍ତରରୁ କହିଥିବା କଥା ସମବେତ ବିଚାରପତି ଓ ଆଇନଜୀବୀଙ୍କୁ ଭାବପ୍ରବଣ କରିଥିଲା। ସମସ୍ତେ ଛିଡ଼ା ହୋଇ ରାଷ୍ଟ୍ରପତିଙ୍କୁ ସମ୍ମାନ ଜଣାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା |






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..