ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍ ୨୦୨୨। ଶୀତ ଅଧିବେଶନର ତୃତୀୟ ଦିନରେ ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ ପାରିତ ହୋଇଯାଇଛି। ଏଥି ସହିତ ଚଳିତ ଶୀତକାଳୀନ ଅଧିବେଶନର ତୃତୀୟ ଦିନର ବିଧାନସଭା କାର୍ଯ୍ୟ ଶେଷ ହୋଇଯାଇଛି। ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତା ସୋମବାର ଦିନ ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି। ଓଡ଼ିଶାରେ ଅଗ୍ନି ନିରୋଧ ଓ ଅଗ୍ନିନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩ ପ୍ରଣୟନ ହୋଇ କାର୍ଯ୍ୟକାରୀ ହୋଇଆସୁଛି। ଇତିମଧ୍ୟରେ ଅଗ୍ନିଶମ ସେବାର କାର୍ଯ୍ୟ ପରିସର, ଦାୟିତ୍ବବୋଧ ଆଶାତୀତ ଭାବେ ବୃଦ୍ଧି ହୋଇଅଛି। ପ୍ରାକୃତିକ ତଥା ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ଅଗ୍ନିଶମ ବାହିନୀ ପ୍ରଥମେ ସେବା ଯୋଗାଇଥାନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ଏକ ସଂଶୋଧନ ଆଦର୍ଶ ବିଲ୍ ପ୍ରସ୍ତୁତ କରି ସମସ୍ତ ରାଜ୍ୟମାନଙ୍କୁ ସୁପ୍ରଚଳିତ ଅଧିନିୟମ ତଥା ନିୟମାବଳିକୁ ଆବଶ୍ୟକ ମତେ ସଂଶୋଧନ କରିବା ନିମନ୍ତେ ଅନୁରୋଧ କରିଅଛନ୍ତି। ଓଡିଶା ଅଗ୍ନିଶମ ସେବା ଅଧୁନିୟମ, ୧୯୯୩ର ସଂଶୋଧନ ନିମନ୍ତେ ଏକ ଚିଠା ବିଲ, ଯଥା ଓଡିଶା ଅଗ୍ନିଶମ ସେବା (ସଂଶୋଧନ ) ବିଲ, ୨୦୨୨, ନିମ୍ନଲିଖତ ବ୍ୟବସ୍ଥା ଥାଇ ପ୍ରସ୍ତୁତ କରାଯାଇଅଛି।ଏଣିକି କମ୍ପାନୀ ଗୁଡ଼ିକ ଅଗ୍ନିଶମ ସୁରକ୍ଷା ପ୍ରଣାମ ପତ୍ର ରଖିବାରେ ବିଫଳ ହେଲେ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି। ଏହି ବିବାଦର ଆପୋଷ ସମାଧାନ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଅଗ୍ନିଶମ ସେବା ନିର୍ଦ୍ଦେଶକ କିମ୍ବା ଅନ୍ୟ ପ୍ରାଧିକୃତ ଅଧିକାରୀ ଦ୍ବରା ଜାରି ବିଜ୍ଞପ୍ତି ଆଦେଶ ଅଧିଗ୍ରହଣକୁ ପାଳନ କରିବାରେ ଅସମର୍ଥ ହେଲେ ଏହା ଆପୋଷ ସମାଧାନ ଭୁକ୍ତ ହେବ ନାହିଁ। ଅଗ୍ନିନିବାରଣ ବା ଅଗ୍ନିନିର୍ବାପନ ସମ୍ବନ୍ଧୀୟ ସମସ୍ତ ମାମଲା ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଦ୍ଵାରା ବିଚାର ବ୍ୟବସ୍ଥା ରହିଛି। ଅଗ୍ନିଶମ ସେବା ନିର୍ଦ୍ଦେଶକ କିମ୍ବା ତାଙ୍କ ଦ୍ବାରା ପ୍ରାଧିକୃତ ଅଧିକାରୀଙ୍କ ଲିଖିତ ଅଭିଯୋଗ ବିନା କୌଣସି ନ୍ୟାୟାଳୟ ଅଗ୍ନିଶମ ନିୟମ ଉଲ୍ଲଙ୍ଘନ ଜନିତ ଅପରାଧକୁ ଧ୍ୟାନକୁ ନେବେ ନାହିଁ। ଅଗ୍ନିଶମ ସେବା ଅଧିନିୟମ କାର୍ଯକାରୀ କରିବା ହେତୁ ଆଗତ ଅଭିଯୋଗ ଗୁଡିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ ପାଇଁ ପ୍ରଥମ ଅପିଲ କର୍ତୃପକ୍ଷଙ୍କ ଓ ଦ୍ବିତୀୟ ଅପିଲ କର୍ତୃପକ୍ଷ ବ୍ୟବସ୍ଥା ରହିଛି। ଏଥି ସହିତ ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍ରେ ଓଡିଶା ଅଗ୍ନିଶମ ଓ ଜରୁରୀସେବାକୁ ସୁଦୃଢ କରିବାପାଇଁ ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ କ୍ଷମତା ଅଗ୍ନିଶମ ସେବା ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରାଯିବାର ପ୍ରସ୍ତାବ ଅଛି। ଏହା ମଧ୍ୟ ପ୍ରସ୍ତାବ ଅଛି ଯେ, ଏହି ଅଧିନିୟମର ଯଥାଯଥ ଉପଯୋଗ ନିମନ୍ତେ ଅଗ୍ନିଶମ ସେବା ନିର୍ଦ୍ଦେଶକ ତାଙ୍କ କ୍ଷମତାର କିଛି ଅଂଶ ଅଧସ୍ତନ ଅଧିକାରୀଙ୍କୁ ହସ୍ତାନ୍ତର କରିପାରିବେ। ନୀୟମାନୁଯାୟୀ ଅଗ୍ନିସୁରକ୍ଷା ନିରୀକ୍ଷକ ନିଯୁକ୍ତି ନ କଲେ ଦଣ୍ଡର ବ୍ୟବସ୍ଥା ପାଇଁ ପ୍ରସ୍ତାବ ରହିଅଛି। ପ୍ରଚଳିତ ବିଧି ବ୍ୟବସ୍ଥାରେ ସୁରକ୍ଷା ବ୍ୟବସ୍ଥାରେ ଖିଲାପି, ଅଗ୍ନିନିର୍ବାପନ କାର୍ୟ୍ୟରେ ଜାଣିଶୁଣି ବାଧା ପହଞ୍ଚାଇବା ଏବଂ ଅଗ୍ନିକାଣ୍ଡ ସଂପର୍କିତ ମିଥ୍ୟା ତଥ୍ୟ ପ୍ରଦାନ କରିବା ପାଇଁ ନ୍ୟୁନତମ ଅର୍ଥ ଦଣ୍ଡର ବ୍ୟବସ୍ଥା ଥିବାରୁ ତାହାକୁ ବର୍ଦ୍ଧିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….