ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯୁକ୍ତରାଷ୍ଟ୍ର ଆମେରିକା ୟୁକ୍ରେନ୍ ଯୁଦ୍ଧ ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛି। ସମସ୍ତ ପ୍ରକାର ହିଂସା ବର୍ଜନ କରି କୂଟନୀତି ଜରିଆରେ ରୁଷ୍ ଓ ୟୁକ୍ରେନ୍ ସମସ୍ୟାର ସମାଧାନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହି ଆସୁଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗର ପ୍ରମୁଖ ଉପମୁଖପାତ୍ର ବେଦାନ୍ତ ପଟେଲ୍ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା ବିଶ୍ବାସ କରୁଛୁ। ସେ କଥା ସାକାର ହେଲେ ଆମେ ଗ୍ରହଣ କରିବୁ। ରୁଷ୍ ସହିତ ଆଲୋଚନା ପାଇଁ ଅନ୍ୟ ଦେଶମାନେ ନିଜସ୍ବ ନିଷ୍ପତ୍ତି ଗ୍ରହଣ କରିବେ। ଯୁଦ୍ଧ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସୁଧାରିବା ନିମନ୍ତେ ଆମେ ମିତ୍ର ରାଷ୍ଟ୍ରମାନଙ୍କୁ ସହଯୋଗ କରିବୁ। ରୁଷ୍-ୟୁକ୍ରେନ୍ ସଂଘର୍ଷ ଉପରେ ଭାରତର ଆଭିମୁଖ୍ୟ ଓ ଯୁଦ୍ଧର ଅବସାନ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ବାନ ସଂକ୍ରାନ୍ତରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେବା ବେଳେ ପଟେଲ୍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସ୍ମରଣଯୋଗ୍ୟ, ସେପ୍ଟେମ୍ବର ମାସରେ ସମରକନ୍ଦରେ ଆୟୋଜିତ ‘ଏସ୍ସିଓ’ ଶିଖର ସମ୍ମିଳନୀ ବାହାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପରସ୍ପରକୁ ଭେଟିଥିଲେ। ସେତେବେଳେ ମୋଦୀ ପୁଟିନ୍ଙ୍କୁ କହିଥିଲେ ଯେ, ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ। ଯୁଦ୍ଧ ଯୋଗୁଁ ଖାଦ୍ୟ, ଇନ୍ଧନ ଓ ସାର କ୍ଷେତ୍ରରେ ସୃଷ୍ଟି ହୋଇଥିବା ସଙ୍କଟ ପ୍ରତି ଧ୍ୟାନ ଦେବା ପାଇଁ ମଧ୍ୟ ସେ ପୁଟିନ୍ଙ୍କୁ କହିଥିଲେ। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ମୋଦୀ ଓ ପୁଟିନ୍ ଟେଲିଫୋନ୍ ଯୋଗେ କଥାବର୍ତ୍ତା କରିବାର କିଛି ସମୟ ପରେ ଆମେରିକାର ବୈଦେଶିକ ବିଭାଗ ଉପରୋକ୍ତ ମନ୍ତବ୍ୟ ଦେଇଛି।






More Stories
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର…..
ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ପୁରସ୍କାର…..
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..