ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତକୁ ନବ ବର୍ଷର ଅଭିନନ୍ଦନ ଜଣାଇବା ସହିତ ‘ଜି୨୦’ ଓ ‘ସାଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ ଅଧ୍ୟକ୍ଷତା ଜନତାଙ୍କ ହିତାର୍ଥେ ବହୁପାକ୍ଷିକ ରୁଷ୍-ଭାରତ ସହଯୋଗ ଗଠନ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିବ ବୋଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଥିବା କଥା କ୍ରେମ୍ଲିନ୍ ସାଇଟ୍ରେ ରିଲିଜ୍ କରାଯାଇଥିବା ବିବୃତିରେ ଉଲ୍ଲେଖ ଅଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଇଥିବା ବାର୍ତ୍ତାରେ ପୁଟିନ୍ କହିଛନ୍ତି ଯେ, ୨୦୨୨ରେ ରୁଷ୍ ଓ ଭାରତ ସେମାନଙ୍କ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରିଛନ୍ତି। ବନ୍ଧୁତ୍ବର ସକାରାତ୍ମକ ପ୍ରଥା ଓ ପାରସ୍ପରିକ ସମ୍ମାନକୁ ଆଦରି ଦୁଇ ଦେଶ ସେମାନଙ୍କର ବିଶେଷ ରଣନୈତିକ ସହଭାଗିତା ବିକାଶ କରିବା ସହିତ ଶକ୍ତି, ସାମରିକ ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ ସହଯୋଗିତା କ୍ଷେତ୍ର ସମେତ ବଡ଼ଧରଣର ବାଣିଜ୍ୟ ଓ ଅର୍ଥନୈତିକ ପ୍ରକଳ୍ପ ସମ୍ପନ୍ନ କରିବେ। ଏହାଛଡ଼ା, ଆଞ୍ଚଳିକ ଓ ବୈଶ୍ବିକ ଆଜେଣ୍ଡାର ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ସମାଧାନ ଦିଗରେ ମଧ୍ୟ ଦୁଇ ଦେଶ ସମ୍ମିଳିତ ଉଦ୍ୟମ କରିବେ। ଏହା ପୂର୍ବରୁ ବୁଧବାର ଦିନ ଭାରତସ୍ଥିତ ଇଂଲଣ୍ଡ୍ର ରାଷ୍ଟ୍ରଦୂତ ଆଲେକ୍ସ୍ ଏଲିସ୍ କହିଛନ୍ତି, ୨୦୨୨ ଥିଲା ଭାରତ ଓ ଇଂଲଣ୍ଡ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ବର୍ଷ। ଏ ବର୍ଷ ଭାରତ ଓ ଇଂଲଣ୍ଡ ସେମାନଙ୍କର ସମ୍ପର୍କକୁ ଆହୁରି ସୁଦୃଢ଼ କରିଛନ୍ତି। ଅର୍ଥନୈତିକ ସମ୍ପର୍କ ବିଷୟରେ କହିବାକୁ ଯାଇ ସେ କହିଛନ୍ତି ଯେ, ଭାରତ ଏବଂ ଇଂଲଣ୍ଡ୍ ଚଳିତ ବର୍ଷ ‘ମୁକ୍ତ ବାଣିଜ୍ୟ ରାଜିନାମା’ ଆରମ୍ଭ କରିଛନ୍ତି।
More Stories
ଦିଲ୍ଲୀରେ ଉଠିଲା ଓଡ଼ିଶା ପ୍ରସଙ୍ଗ:ଓଡ଼ିଶାରେ ମହିଳା ଏବଂ ଶିଶୁ ଅସୁରକ୍ଷିତ….
ନେହେରୁଙ୍କ ପାଇଁ ପିଓକେର ସୃଷ୍ଟି….
ମନ୍ତ୍ରୀଙ୍କୁ ଠକି ନେଇଥିଲେ ଟଙ୍କା, ଏବେ ବନ୍ଧାହେଲେ……..