ରିପୋର୍ଟ କାର୍ଡ / କଟକ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇକୋର୍ଟ କର୍ମଚାରୀମାନଙ୍କ ପାଇଁ ଆବାସିକ ପରିସର ଓ ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍ ବିଲଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୁଡିସିଆଲ ସଂଗ୍ରହାଳୟ ପ୍ରକଳ୍ପ ଭାରତରେ ଅଦ୍ବିତୀୟ। ଏଭଳି ପ୍ରତିଷ୍ଠାନ ଗବେଷଣା ଓ ଇତିହାସକୁ ପରଖିବା ପାଇଁ ସୁଯୋଗ ଯୋଗାଇବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି। ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସହ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିନିତ୍ ସରଣ, ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍ ମୁରଲୀଧର ଓ ହାଇକୋର୍ଟର ଅନ୍ୟ ବିଚାରପତିମାନେ ଯୋଗ ଦେଇଥିଲେ । ଏହି ଦୁଇଟି ପ୍ରକଳ୍ପ ମଧ୍ୟରୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍ ବିଲଡିଂର ପ୍ରକଳ୍ପ। ଏହି ଜୁଡିସିଆଲ ଆର୍କାଇଭ୍ ବିଲଡିଂ ବା ସଂଗ୍ରହଳୟ ପାଇଁ ୩୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଠାରେ ୨୦୦ ବର୍ଷର ପୁରୁଣା ବିଭିନ୍ନ ନ୍ୟାୟିକ ଦସ୍ତାବିଜ ସଂଗୃହୀତ ହୋଇ ରହିବ ଓ ଏହା ଉପରେ ଗବେଷଣା କରାଯିବ। ସ୍ୱାଧୀନତା ପୂର୍ବର ବିଭିନ୍ନ ଦସ୍ତାବିଜକୁ ଏଠାରେ ସ୍ଥାନ ଦିଆଯିବ। ବିଶେଷ କରି ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁଭାଷ ବୋଷଙ୍କ ପିତା ତଥା ସ୍ୱାଧୀନତା ସଂଗ୍ରାମୀ ଜାନକୀନାଥ ବୋଷ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରମୁଖ ଯେଉଁ ସବୁ ମାମଲା ପରିଚାଳନା କରୁ ଥିଲେ ସେହି ସମସ୍ତ ଦସ୍ତାବିଜକୁ ଏହି ସଂଗ୍ରହଳୟରେ ସ୍ଥାନିତ ହେବ। ଏହି ଅବସରରେ ଆଜି ଶିଳାନ୍ୟାସ ହୋଇ ଥିବା ଦୁଇଟି ଯାକ ପ୍ରକଳ୍ପର ଡିଜାଇନ ଗୁଡିକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ତେବେ ଜୁଡିସିଆଲ ଆର୍କାଇଭ୍ ବିଲଡିଂ ବା ସଂଗ୍ରହଳୟ ଓଡିଶାର ନ୍ୟାୟିକ ତଥା ଅନ୍ୟ ବହୁମୂଲ୍ୟ ସ୍ମୃତିକୁ ଧାରଣ କରିବ ବୋଲି ମତ ଦେଇ ଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍ ମୁରଲୀଧର।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..