Report Card Odisha

| Daily Odia News

ବଜେଟ୍‌ ଅଧିବେଶନରେ ସମ୍ବୋଧନ କଲେ ରାଷ୍ଟ୍ରପତି…….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠାରୁ ସଂସଦରେ ଆରମ୍ଭ ହୋଇଯାଇଛି ବଜେଟ୍‌ ଅଧିବେଶନ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌। ଆଜି ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତ ଆତ୍ମ ନିର୍ଭର ହେବ। ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବଢ଼ିଛି। ବର୍ତ୍ତମାନ ଭାରତରେ ଏକ ସ୍ଥାୟୀ ଓ ନିର୍ଣ୍ଣାୟକ ସରକାର ଚାଲିଛି। ବିକାଶ ସହ ବଢ଼ୁଛି ଭାରତ। ୨୦୪୬ ସୁଦ୍ଧା ଆମକୁ ସ୍ୱର୍ଣ୍ଣିମ ଭାରତ ଗଢ଼ିବାର ଅଛି ବୋଲି ନିଜ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଆହୁରି କହିଛନ୍ତି, ବିକାଶରେ ଚାଲୁଥିବା ମୋ ସରକାରକୁ ୯ ବର୍ଷ ପୂରିବାକୁ ଯାଉଛି। ୯ ବର୍ଷରେ ବିଶ୍ୱରେ ଭାରତର ପରିଚୟ ବଦଳିଛି। ଆଜି ପ୍ରତି ଭାରତୀୟଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ପହଞ୍ଚିଛି। ନରେନ୍ଦ୍ର ମୋଦିଙ୍କ ସରକାର ଆତଙ୍କବାଦକୁ ଦୃଢ଼ ଜବାବ ଦେଉଛି। ସର୍ଜିକାଲ ଷ୍ଟ୍ରାଇକ୍‌ ଆତଙ୍କବାଦୀଙ୍କ ଉପରେ କଠୋର ପ୍ରହାର କରିଛି। ଏଲ୍‌ଓସିରୁ ଏଲ୍‌ଏସି ଯାଏଁ ଶତ୍ରୁକୁ ସବୁଠି ମୁହଁତୋଡ଼ ଜବାବ ଦିଆଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସେହିପରି ରାଷ୍ଟ୍ରପତି ନିଜ ଅଭିଭାଷଣରେ ଆହୁରି କହିଛନ୍ତି, ଭାରତରେ ଇମାନଦାରୀର ସମ୍ମାନ କରୁଥିବା ସରକାର ଅଛି। ପରମ୍ପରା ସହ ଆଧୁନିକତାକୁ ନେଇ ଚାଲୁଥିବା ସରକାର ଅଛି। ଆର୍ଟିକାଲ୍-୩୭୦, ଟ୍ରିପଲ୍ ତଲାକ ସରକାରଙ୍କ ବଡ଼ ଘୋଷଣା ଥିଲା। ସ୍ଥିର ସରକାର ଯୋଗୁଁ ଦେଶ ଆଜି ବଡ଼ ମହାମାରୀର ମୁକାବିଲା କରିପାରିଛି । ଭ୍ରଷ୍ଟାଚାର ଗଣତନ୍ତ୍ରର ସବୁଠାରୁ ବଡ଼ ଶତ୍ରୁ। ସରକାରୀ କାର୍ଯ୍ୟରେ ଭ୍ରଷ୍ଟାଚାର ବନ୍ଦ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ସରକାର ବିନା ଭେଦଭାବ କରି ପ୍ରତି ବର୍ଗର ଲୋକଙ୍କ ପାଇଁ ସମାନ ବିଚାର କରିଛନ୍ତି। ଗୁଲାମୀର ପ୍ରତି ଚିହ୍ନ ଓ ମାନସିକତାରୁ ମୁକ୍ତି ଦେବା ପାଇଁ ଆମ ସରକାର ନିରନ୍ତର ଚେଷ୍ଟା ଚଳାଇଛି। ଯାହା ପୂର୍ବରୁ ରାଜପଥ ଥିଲା ତାହା ବର୍ତ୍ତମାନ କର୍ତ୍ତବ୍ୟ ପଥରେ ପରିଣତ ହୋଇଛି। ଆଜି କର୍ତ୍ତବ୍ୟ ପଥରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରୁଛି। ଭାରତୀୟ ସେନାର ପାରମ ବୀର ଚକ୍ର ବିଜେତାଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବର ୨୧ଦ୍ୱୀପପୁଞ୍ଜ ମଧ୍ୟ ନାମିତ ହୋଇଛି। ଗରିବୀ ହଟାଓ ସ୍ଲୋଗନ ନୁହେଁ, ସ୍ଥାୟୀ ସମାଧାନ ପାଇଁ କାର୍ଯ୍ୟ ହେଉଛି। ପ୍ରତି ଘରକୁ ପାଣି ପାଇଁ ଜଳ ମିଶନ୍ ଆରମ୍ଭ ହୋଇଛି। ଆୟୁଷ୍ମାନ ଭାରତର ୫୦% ମହିଳା ଲାଭାର୍ଥୀ ହେଉଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ମହିଳାଙ୍କ ଗରିମା ବୃଦ୍ଧି ପାଇଛି ବୋଲି ବଜେଟ୍‌ ଅଧିବେଶନର ଆରମ୍ଭରେ ଦେଇଥିବା ଅଭିଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

Breaking News