Report Card Odisha

| Daily Odia News

ପାଇଲଟଙ୍କ ଭୁଲ ହେତୁ ୭୨ ଜଣ ପ୍ରାଣ ହରାଇଥିଲେ !…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗତ ଜାନୁଆରୀ ୧୫ ତାରିଖରେ ନେପାଳ ପୋଖରାଠାରେ ଭୟଙ୍କର ବିମାନ ଦୁର୍ଘଟଣାରେ ୫ ଭାରତୀୟଙ୍କ ସମେତ ୭୨ ଜଣ ପ୍ରାଣ ହରାଇଥିଲେ। ଏଥିରେ ୪ ଜଣ ବିମାନ କର୍ମଚାରୀ ଓ ୬୮ ଜଣ ଯାତ୍ରୀ ଥିଲେ। ବିମାନଟି ଅବତରଣ କରିବାକୁ ଆଉ ମାତ୍ର ୧୦ ସେକେଣ୍ଡ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାର ଯାଞ୍ଚ ପାଇଁ ଗଠିତ କମିଟିର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ବିମାନ ଦୁର୍ଘଟଣାର କାରଣ ସମ୍ପର୍କରେ ସୂଚନା ଦିଆଯାଇଛି। ପ୍ରାରମ୍ଭିକ ରିପୋର୍ଟରେ ଯାଞ୍ଚ କମିଟିର ଜଣେ ସଦସ୍ୟ ଏହି ଦୁର୍ଘଟଣାକୁ ମଣିଷଗତ ତ୍ରୁଟି ବୋଲି ଦର୍ଶାଇଛନ୍ତି। ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି, ବିମାନ ଡାଟା ରେକର୍ଡିଂ ଅନୁସାରେ ଇଞ୍ଜିନ ସମ୍ବନ୍ଧିତ ସମସ୍ତ ଯାଞ୍ଚ କରାଯାଇଛି। ଏଥିରେ କୌଣସି ବି ତ୍ରୁଟି ପରିଲକ୍ଷିତ ହୋଇନାହିଁ। ଏଥିସହିତ ଏହି ରିପୋର୍ଟରେ ଆଗକୁ କୁହାଯାଇଛି କି, ଯେତେବେଳେ ଏୟାର ଟ୍ରାଫିକ ୧୦:୫୭:୦୭ରେ ପାଇଲଟଙ୍କୁ ଓହ୍ଲାଇବାକୁ ଅନୁମତି ଦେଇଥିଲେ, ସେତେବେଳେ ପାଇଲଟ ଫ୍ଲାଇଙ୍ଗ ଦୁଇଥର ଉଲ୍ଲେଖ କରିଥିଲେ କି ଇଞ୍ଜିନରୁ କୌଣସି ଶକ୍ତି ଆସୁ ନାହିଁ। ବିଶେଷଜ୍ଞଙ୍କ କହିବାନୁସାରେ, ପାଇଲଟ ଭୁଲବଶତଃ କଣ୍ଡିସନ ଲିଭର ଟାଣି ଦେଇଥିବେ, ଯେଉଁ କାରଣରୁ ଇଞ୍ଜିନ ବନ୍ଦ ହୋଇଯାଇଥିଲା। ପ୍ରତ୍ୟେକ ଲିଭର ଇଞ୍ଜିନକୁ ଶକ୍ତି ଯୋଗାଇ ଷ୍ଟାର୍ଟ କରିଥାଏ ଆଉ ବନ୍ଦ କରିଥ‌ାଏ। ଏଥିସହିତ ଇଞ୍ଜିନର ଗତିକୁ ନିୟନ୍ତ୍ରଣ କରିଥାଏ। କାଠମାଣ୍ଡୁ ପୋଷ୍ଟର ଜଣେ ଯାଞ୍ଚ କର୍ମୀ କହିଥିଲେ, ଦୁର୍ଘଟଣାସ୍ଥଳରୁ ଲିଭରକୁ ତଳକୁ ଟାଣିଥିବା ଜଣାପଡ଼ିଥିଲା। ଆମେ ଏକ ବିସ୍ତୃତ ରିପୋର୍ଟର ଅପେକ୍ଷା କରିଛୁ। ଆମେ ଏହା ଜାଣି ପାରୁ ନାହୁଁ କି ଏହା ପୂର୍ବରୁ କ’ଣ‌ ହୋଇଥିଲା। ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ ଅନୁସାରେ, ଦୁର୍ଘଟଣା ଯାଞ୍ଚର ପ୍ରାରମ୍ଭିକ ରିପୋର୍ଟ ଦୁର୍ଘଟଣାର ୩୦ଦିନ ଭିତରେ ପ୍ରସ୍ତୁତ କରିବା ଉଚିତ। ସେହିପରି ଶେଷ ରିପୋର୍ଟ ୧୨ମାସ ଭିତରେ ପ୍ରସ୍ତୁତ ହୋଇଯିବା ଦରକାର।

 

Breaking News