Report Card Odisha

| Daily Odia News

‘ମନ୍ଦା ମଇଁଷି’ କୁ ଜାତୀୟ ମାନ୍ୟତା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାର ‘ମନ୍ଦା ମଇଁଷି’ ପ୍ରଜାତିକୁ ମିଳିଛି ଜାତୀୟ ମାନ୍ୟତା । ନିକଟରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମନ୍ଦା ମଇଁଷି ପ୍ରଜାତିକୁ ଜାତୀୟ ମାନ୍ୟତାପ୍ରାପ୍ତ ପ୍ରମାଣପତ୍ର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରାଣୀ ପ୍ରଜନନ ବିଭାଗ ମୁଖ୍ୟ ପ୍ରଫେସର ସୁଶାନ୍ତ କୁମାର ଦାଶଙ୍କୁ ପ୍ରଦାନ କରିଛନ୍ତି। ଓଡ଼ିଶାର କୋରାପୁଟ, ରାୟଗଡ଼ା ଏବଂ ମାଲକାନଗିରି ଜିଲାରେ ଦେଖାଯାଉଥିବା ଏ ମଇଁଷି ଦେଶର ୧୯ତମ ମଇଁଷି ପ୍ରଜାତି ଭାବେ ମାନ୍ୟତା ପାଇଛି। ଏମାନଙ୍କ ରଙ୍ଗ ହାଲୁକା ଧୂସର ଓ କଳା। ଆକାର ମଧ୍ୟମ ଧରଣର। ମନ୍ଦା ମଇଁଷିମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଅଧିକ। ଜଳବାୟୁ ପରିବର୍ତ୍ତନର ଛାପ ଏମାନଙ୍କଠାରେ କମ୍ ପ୍ରତିଫଳନ ହୁଏ। ସମସ୍ତ କୃଷି କାର୍ଯ୍ୟରେ ବ୍ୟବହୃତ ହେଉଥିବା ଏହି ମଇଁଷି ପ୍ରଜାତି ଦିନକୁ ହାରାହାରି ଦେଢ଼ଲିଟର କ୍ଷୀର ଦେଇଥାଏ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଏବଂ ରାଜ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମିଳିତ ଭାବରେ ୨୦୦୯ରେ ମନ୍ଦା ମଇଁଷିମାନଙ୍କ ଉପରେ ଅଧ୍ୟୟନ ଓ ଗବେଷଣା ଆରମ୍ଭ କରିଥିଲେ। ପ୍ରଫେସର ସୁଶାନ୍ତ ଦାଶ ଓ ତତକାଳୀନ ପ୍ରାଣୀ ବିଭାଗ ନିର୍ଦେଶକ ବିଷ୍ଣୁପଦ ସେଠୀ ମନ୍ଦା ମଇଁଷିମାନଙ୍କର ସ୍ବତନ୍ତ୍ରତାକୁ ଏକ ପୁସ୍ତକ ମାଧ୍ୟମରେ ଉଲ୍ଲେଖ କରିଥିଲେ। ଏହାକୁ ଏକ ସ୍ବତନ୍ତ୍ର ମଇଁଷି ପ୍ରଜାତି ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ଠାରେ ପ୍ରସ୍ତାବ ରଖାଯାଇଥିଲା। ପ୍ରଜାତି ମାନ୍ୟତା ପାଇବା‌ ପରେ ମନ୍ଦା ମଇଁଷିମାନଙ୍କର ସଂରକ୍ଷଣ ଓ ଉନ୍ନତି ନିମିତ୍ତ ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ପ୍ରକଳ୍ପର ପ୍ରୟୋଗ କରିବେ। ଯାହା ଏହି ପ୍ରଜାତି ପାଳନ କରୁଥିବା ଚାଷୀଙ୍କର ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ସହ ଓଡ଼ିଶାର ପ୍ରାଣୀ ସମ୍ପଦ ବିକାଶରେ ସହାୟକ ହେବ। ସଂରକ୍ଷଣ ପାଇଁ ସମସ୍ତ ବୈଷୟିକ ସହାୟତା ଓୟୁଏଟି ତରଫରୁ ପ୍ରଦାନ କରାଯିବ ବୋଲି ପ୍ରାଣୀ ପ୍ରଜନନ ବିଭାଗ ମୁଖ୍ୟ ପ୍ରଫେସର ଶ୍ରୀ ଦାଶ ସୂଚନା ଦେଇଛନ୍ତି।

Breaking News