Report Card Odisha

| Daily Odia News

ଆମେରିକା ମାନର ହେବ ଭାରତର ସଡ଼କ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ଭିତ୍ତିଭୂମି ଗୁଡ଼ିକ ୨୦୨୪ ଶେଷ ସୁଦ୍ଧା ଆମେରିକା ମାନର ହେବ। ଭିତ୍ତିଭୂମି ବିନା ଶିଳ୍ପ ସମ୍ଭବ ନୁହେଁ। ଶିଳ୍ପ ବିନା ପୁଞ୍ଜି ନିବେଶ ହୋଇପାରିବ ନାହିଁ। ବିନା ପୁଞ୍ଜି ନିବେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବନାହିଁ। ଭାରତକୁ ୫ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ କରିବା ଲାଗି ବିଶ୍ବସ୍ତରୀୟ ଭିତ୍ତିଭୂମି ହିଁ ମାଧ୍ୟମ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ଇକୋନୋମିକ ଟାଇମ୍ସର ଗ୍ଲୋବାଲ ବିଜ‌ନେସ୍‌ ସମିଟ୍‌ରେ ‌୨୦୪୭ ମସିହାର ଭାରତ ପାଇଁ ଭିତ୍ତିଭୂମି ନିର୍ମାଣ ପ୍ରସଙ୍ଗ ଉପରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି, ଭାରତର ସଡ଼କ ଭିତ୍ତିଭୂମି ୨୦୨୪ ଶେଷ ସୁଦ୍ଧା ଆମେରିକା ମାନର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ହେଲା ଆତ୍ମନିର୍ଭର ଭାରତ ନିର୍ମାଣ କରିବା। ଯେକୌଣସି ଶିଳ୍ପ ବିକାଶ ପାଇଁ ଭିତ୍ତିଭୂମି ଗୁରୁତ୍ବପୂର୍ଣ୍ଣ। ବିଶ୍ବରେ ଭାରତ ସବୁଠୁ ଅଧିକ ବେଗରେ ବଢ଼ୁଥିବା ଅର୍ଥନୀତି। କିନ୍ତୁ ବ୍ୟବସାୟରେ ଲଜିଷ୍ଟିକ୍ସ ଖର୍ଚ୍ଚ ୧୬ ପ୍ରତିଶତ ରହିଛି। ଚୀନରେ ଏହା ୮ରୁ ୧୦ ପ୍ରତିଶତ ଥିବାବେଳେ ୟୁରୋପୀୟ ଦେଶ ଏବଂ ଆମେରିକାରେ ଏହା ୧୨ ପ୍ରତିଶତ ରହିଛି। ଲଜିଷ୍ଟିକ୍ସ ଖର୍ଚ୍ଚକୁ ୯ ପ୍ରତିଶତ ପାଖାପାଖି ରଖିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଏହା ହାସଲ କରିବା ଲାଗି ବଡ଼ ଧରଣର ଜାତୀୟ ରାଜପଥ ନିର୍ମାଣ ଯୋଜନା କରିଛି। ଏହାଦ୍ବାରା ପରିବହନରେ ଉଭୟ ସମୟ ଏବଂ ତେଲ ସଞ୍ଚୟ ହେବ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ ‌ଏଫ୍‌ କେନେଡି କହିଥିଲେ ଆମେରିକା ଧନୀ ହୋଇଥିବାରୁ ଏହାର ରାସ୍ତା ଭଲ ହୋଇନାହିଁ। ବରଂ ଆମେରିକାର ରାସ୍ତା ଭଲ ହୋଇଥିବାରୁ ଆମେରିକା ଧନୀ। ଏହି ଦୃଷ୍ଟିରୁ ଭାରତୀୟ ରାସ୍ତାକୁ ଅନ୍ତର୍ଜାତୀୟ ମାନର କରିବା ଆମର ମିସନ ବୋଲି ସେ କହିଛନ୍ତି। କେନ୍ଦ୍ର ବଜେଟରେ ଭିତ୍ତିଭୂମି ବିକାଶ ପାଇଁ ୧୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିରୁ ତାଙ୍କ ବିଭାଗକୁ ୨.୭ ଲକ୍ଷ କୋଟି ଟଙ୍କା ମିଳିଛି। ୨୦୨୫ ସୁଦ୍ଧା ଭାରତ ୨ ଲକ୍ଷ କିମିର ଜାତୀୟ ରାଜପଥ ବିକାଶ ଲକ୍ଷ୍ୟ ରଖିଛି। ପେଟ୍ରୋଲ-ଇଥାନଲର ମିଶ୍ରଣରେ ପ୍ରସ୍ତୁତ ଇନ୍ଧନରେ ଚାଲୁଥିବା କାର ଶୀଘ୍ର ଆସିବ। ଟୋଲ୍‌ରୁ ବର୍ତ୍ତମାନ ବାର୍ଷିକ ୪୦ ହଜାର କୋଟି ଟଙ୍କା ରୋଜଗାର ହେଉଛି। ୨୦୨୪ ସୁଦ୍ଧା ଏହା ୧.୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ଗତକାଲିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ସମ୍ମିଳନୀରେ ୪୦ରୁ ଅଧିକ ଅଧିବେଶନ ଅନୁଷ୍ଠିତ ହୋଇଛି। ଏଥିରେ ସାରା ବିଶ୍ବରୁ ପାଖାପାଖି ୨୦୦ ବିଜନେସ୍ ଲିଡର ସେମାନଙ୍କ ବକ୍ତବ୍ୟ ରଖିଛନ୍ତି।

Breaking News