ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨.୩୦ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହୋଇସାରିଛି | ବିଜେଡି ବିଧାୟକମାନେ ନିଜ ନିଜ ଏରିଆକୁ ଯାଇ ଲୋକଙ୍କୁ ବଜେଟର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇବା ସହ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଅବଗତ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି | ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବା ପରେପରେ ପ୍ରାୟ ସାଢ଼େ ୭ଟା ସୁଦ୍ଧା ସମସ୍ତ ବିଜେଡି ବିଧାୟକମାନଙ୍କୁ ନବୀନ ନିବାସ ପହଂଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନବୀନ ନିବାସରେ ସେମାନଙ୍କୁ ଚଳିତବର୍ଷର ରାଜ୍ୟ ବଜେଟ୍ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପ୍ରଶାସନିକ ଟିମ୍ ଗୁରୁଜ୍ଞାନ ଦେଇଛନ୍ତି। ଏହା ଲୋକାଭିମୁଖୀ ବଜେଟ୍ ଓ ଓଡ଼ିଶାକୁ ଶୀର୍ଷକୁ ନେବାରେ ସହାୟକ ହେବ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ବିଧାୟକମାନଙ୍କୁ କହିଛି | ଏହାସହିତ ବଜେଟ୍ ସମ୍ପର୍କରେ ନିଜ ନିଜ ଅଂଚଳକୁ ଯାଇ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବାକୁ ପରାମର୍ଶ ଦେଇଛନ୍ତି । ନବୀନ ସ୍ୱଳ୍ପ ପରାମର୍ଶ ଦେବା ପରେ ତାଙ୍କ ପ୍ରଶାସନିକ ଟିମ୍ ଦ୍ୱାରା ବିଧାୟକମାନଙ୍କୁ ବଜେଟର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ବଜେଟ୍ ହୋଇଥିବାରୁ ବଜେଟର ଲୋକାଭିମୁଖୀ ଦିଗ ସମ୍ପର୍କରେ ନିଜ ନିଜ ନିର୍ବାଚନମଣ୍ଡଳୀର ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବୁଦ୍ଧିଜୀବୀ ବର୍ଗଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବୁଝାଇବାକୁ ବିଧାୟକମାନଙ୍କୁ ପରାମର୍ଶ ଦିଆଯାଇଛି । ଏପରିକି ନିଜ ଅଂଚଳର ବୁଦ୍ଧିଜୀବୀମାନଙ୍କୁ ଡକାଇ ସେମାନଙ୍କ ସହ ଚଳିତବର୍ଷ ବଜେଟର ବିଭିନ୍ନ ଦିଗ ସମ୍ପର୍କରେ ସୂଚିତ କରିବାକୁ କୁହାଯାଇଛି ।






More Stories
ତଦନ୍ତ ଫାଇଲ ଗାଏବ କୁ ନେଇ FIR….
ପତିତପାବନ ଓ ଆନନ୍ଦବଜାରକୁ ଟ୍ରେଡମାର୍କ ସ୍ୱୀକୃତି…..
ରାଷ୍ଟ୍ରପତିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା…..