ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଶା କଳାର ଭୂମି । ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଜନସାଧାରଣ, ବିଶେଷ କରି ଯୁବ ସମାଜ, ଛାତ୍ର ସମାଜ ତଥା ପର୍ଯ୍ୟଟକ ମାନେ ଯେପରି ଆମ କଳା ଓ ସଂସ୍କୃତି ସହିତ ଭଲ ଭାବରେ ପରିଚିତ ହୋଇପାରିବେ | ସେ ଦୃଷ୍ଟିରୁ ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।ଏତଦ୍ବ୍ୟତୀତ ଛାତ୍ରଛାତ୍ରୀ, କାରିଗର ଓ ବୁଣାକାର ମାନଙ୍କ ପାଇଁ ସଂଗ୍ରହାଳୟରେ ପ୍ରବେଶ ନିମନ୍ତେ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆମ ରାଜ୍ୟରେ ଥିବା ସଂଗ୍ରହାଳୟ ଗୁଡିକ ଯେପରି ଅଧିକ ଲୋକପ୍ରିୟ ହେବ ଏବଂ ପର୍ଯ୍ୟଟକ ମାନେ ସେଗୁଡିକ ପରିଦର୍ଶନର ସୁଯୋଗ ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଭୁବନେଶ୍ବରରେ ରାଜ୍ୟ ସଂଗ୍ରହାଳୟ ସହିତ କଳାଭୂମି, ଆଦିବାସୀ ସଂସ୍କୃତି ଓ ଗବେଷଣା ସଂଗ୍ରହାଳୟ, କଟକରେ ସାମୁଦ୍ରିକ ସଂଗ୍ରହାଳୟ ତଥା ବିଭିନ୍ନ ଜିଲ୍ଲାରେ ଅନେକ ସଂଗ୍ରହାଳୟ ରହିଛି । ଏଗୁଡିକୁ ଲୋକପ୍ରିୟ କରିବା ପାଇଁ ଏବଂ ପରିଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସହାୟକ ହେବ ବୋଲି ଆଶା କରାଯାଉଛି ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….