ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟର ମହିଳା ଆଇପିଏସ୍ ଅଧିକାରୀ ଏନ.ବି ଭାରତୀଙ୍କ ପତ୍ତା ମିଳୁନି। ୨୦୧୭ ମସିହାରୁ ଏପର୍ଯ୍ୟନ୍ତ ସେ ଅଜ୍ଞାତବାସରେ ଅଛନ୍ତି। ତାଙ୍କ ବିଷୟରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ତିନି ତିନିଟି ଠିକଣାରେ ତିନୋଟି ଚିଠି କରାଗଲାଣି। ହେଲେ ନା ଚିଠିର ଜବାବ ଦେଉଛନ୍ତି ନା କୌଣସି ସୂଚନା ମିଳୁଛି। କିନ୍ତୁ ଏହା ଭିତରେ ଦୁଇଟି ଚିଠି ଫେରିଆସିଛି। ଏପଟେ ଚିଠିର ଉତ୍ତର ମିଳୁନାହିଁ। ସେପଟେ ମୋବାଇଲ୍ ବନ୍ଦ ରହିଛି। ଶେଷରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଖବରକାଗଜରେ ତାଙ୍କ ନାଁରେ ନୋଟିସ୍ ଜାରି କରାଯାଇଛି। ନଚେତ ଏକତରଫା ଭାବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦିଆଯାଇଛି। ତେବେ ପୂର୍ବରୁ ଶେଷଥର ପାଇଁ ୨୦୨୨ ଫେବ୍ରୁଆରିରେ ନୋଟିସ କରାଯାଇ ୧୫ ଦିନ ମଧ୍ୟରେ ଲିଖିତ ଜବାବ ମଗାଯାଇଥିଲା। ହେଲେ ଏହାର ଉତ୍ତର ମିଳିନଥିଲା। ସୂଚନା ମୁତାବକ, କର୍ଣ୍ଣାଟକର ବାସିନ୍ଦା ତଥା ଓଡ଼ିଶା କ୍ୟାଡର ୧୯୯୮ ବ୍ୟାଚର ଆଇପିଏସ୍ ଅଧିକାରୀ ଶ୍ରୀମତୀ ଭାରତୀ ଓଡ଼ିଶା ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍ଆ ଇଜି ଭାବେ କାର୍ଯ୍ୟରତ ଥିଲେ। ୨୦୧୭ ନଭେମ୍ବର ୨୨ରେ ବାର୍ଷିକ ପରିଦର୍ଶନ ପାଇଁ ଗଜପତି ଜିଲ୍ଲା ଯାଇଥିଲେ। ସେବେଠାରୁ ଆଉ ଫେରିନଥିଲେ। ଅନୁପସ୍ଥିତି ସଂକ୍ରାନ୍ତରେ ନା କାହାରିକୁ ଜଣାଇଥିଲେ ନା ଛୁଟି ଦରଖାସ୍ତ ଦେଇଥିଲେ। ଏଭିଳି ବିଶୃଙ୍ଖଳା ତାଙ୍କ ପାଇଁ ପ୍ରଥମ ନଥିଲା। ପୂର୍ବରୁ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ନଜଣାଇ ଛୁଟିରେ ରହୁଥିଲେ। ଏଭଳି ବିଶୃଙ୍ଖଳିତ ଆଚରଣ, ସରକାରୀ ନିୟମାବଳୀର ଉଲ୍ଲଂଘନ ଏବଂ ବିନା ଛୁଟି ଦରଖାସ୍ତରେ ଚାକିରି କ୍ଷେତ୍ରରେ ଅନୁପସ୍ଥିତି ପାଇଁ ଗୃହ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଏଥିପାଇଁ ୨୦୨୦ରେ ଅତିରିକ୍ତ ଡିଜି ଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ତଦନ୍ତ ପାଇଁ ଭିନ୍ନ ଭିନ୍ନ ସମୟରେ ତାରିଖ ଧାର୍ଯ୍ୟ କରାଯାଇଥିଲା। ହେଲେ ସେ କୌଣସି ସହଯୋଗ କରିନଥିଲେ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..