Report Card Odisha

| Daily Odia News

ଚୀନ୍‌କୁ ସମାଲୋଚନା କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୦ରେ ଉହାନ୍‌ ବଜାରରୁ ସଂଗ୍ରହ କରିଥିବା ନମୁନା ସମ୍ବନ୍ଧୀୟ ତଥ୍ୟାବଳି ଦେଉ ନ ଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚୀନ୍‌କୁ ସମାଲୋଚନା କରିଛି। ଏହାଛଡ଼ା, ଏହି ତଥ୍ୟାବଳି କୋଭିଡ୍‌-୧୯ ମହାମାରୀର ଉତ୍ପତ୍ତି ବିଷୟରେ ଗୁରୁତ୍ବପୂର୍ଣ୍ଣ ସୂଚନା ଯୋଗାଇ ଦେଇପାରନ୍ତା କହି, ଚୀନ୍‌ କରିଥିବା ତଦନ୍ତର ଫଳାଫଳ ସେୟାର୍‌ କରିବାରେ ସାଧୁତା ଅବଲମ୍ବନ କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବେଜିଙ୍ଗ୍‌କୁ କହିଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ରୀୟ ଚୀନ୍‌ର ଉହାନ୍‌ ନଗରୀ ହେଉଛି ମହାମାରୀର କେନ୍ଦ୍ରସ୍ଥଳ। ୨୦୧୯ ଶେଷ ଭାଗରେ ସେଠାରୁ ଉତ୍ପତ୍ତି ହେବା ପରେ ‘ସାର୍ସ-କୋଭ୍‌-୨’ ଭୂତାଣୁ ଦ୍ରୁତ ବେଗରେ ଉହାନ୍‌ର ଅନ୍ୟ ପ୍ରାନ୍ତକୁ ବ୍ୟାପିଯିବା ପରେ ବିଶ୍ବର ବାକି ଦେଶମାନଙ୍କୁ ବ୍ୟାପିଯାଇଥିଲା। ଶୁକ୍ରବାର ଦିନ ଜିନିଭାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶ ଡାକ୍ତର ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେସିୟସ୍‌ କହିଛନ୍ତି, କୋଭିଡ୍‌-୧୯ର ଉତ୍ପତ୍ତି ସମ୍ବନ୍ଧୀୟ ପ୍ରତ୍ୟେକଟି ଅଧ୍ୟୟନ ତୁରନ୍ତ ଆନ୍ତର୍ଜାତିକ ସମୁଦାୟଙ୍କୁ ସେୟାର୍‌ କରାଯିବା ଆବଶ୍ୟକ। ଏହି ତଥ୍ୟାବଳି ୩ ବର୍ଷ ପୂର୍ବରୁ ସେୟାର୍‌ କରାଯାଇ ପାରିଥାଆନ୍ତା ଓ କରାଯିବା ଉଚିତ ଥିଲା।
ତଥ୍ୟାବଳି ଯୋଗାଇ ଦେବାରେ ସାଧୁତା ଅବଲମ୍ବନ କରିବା ଏବଂ ଆବଶ୍ୟକ ତଦନ୍ତ କରି ଫଳାଫଳ ସେୟାର୍‌ କରିବା ଲାଗି ଆମେ ଚୀନ୍‌କୁ କହିଆସୁଛୁ। ମହାମାରୀ କିପରି ଆରମ୍ଭ ହେଲା ତାହା ବୁଝିବା ଉଭୟ ନୈତିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି।

Breaking News