ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ର ବରିଷ୍ଠ ନେତା ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ହାତରୁ ସରକାରୀ ବଙ୍ଗଳା ଚାଲିଯାଇଛି। ଏହି ବଙ୍ଗଳାରେ ରହିବେ ନୂଆ ମନ୍ତ୍ରୀ। ନବ ନିଯୁକ୍ତ ମନ୍ତ୍ରୀ ଆତିଶୀ ଓ ସୌରଭ ଭରଦ୍ୱାଜଙ୍କୁ ଏହି ବଙ୍ଗଳା ମିଳିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ଆସିଥିବା ଚିଠିରୁ ଜଣାପଡିଛି। ପୂର୍ତ୍ତ ବିଭାଗ ଜାରି କରିଥିବା ଚିଠି ଅନୁସାରେ, ମାର୍ଚ୍ଚ ୨୧ ତାରିଖ ଅବା ତା’ ପୂର୍ବରୁ ସରକାରୀ ବଙ୍ଗଳା ଖାଲି କରିବା ଲାଗି ସିସୋଦିଆ ଏବଂ ଜୈନଙ୍କ ପରିବାରବର୍ଗଙ୍କୁ କୁହାଯାଇଛି। ସେହିପରି, ବଙ୍ଗଳା ଅଧିଗ୍ରହଣ କରିଥିବା କଥା ଚିଠି ଜାରି ହେବାର ୮ ଦିନ ମଧ୍ୟରେ ଜଣାଇବାକୁ ଆତିଶୀ ଓ ଭରଦ୍ୱାଜଙ୍କୁ ମଧ୍ୟ କୁହାଯାଇଛି। ସେପଟେ ବଙ୍ଗଳା ଖାଲି କରିବା ନୋଟିସକୁ ନେଇ ଆପକୁ ଟାର୍ଗେଟ୍ କରିଛି ବିଜେପି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆପ୍ ନେତା ମନୀଷ ସିସୋଦିଆଙ୍କ ପରିବାରକୁ ବଙ୍ଗଳା ଖାଲି କରିବାକୁ କହିବା ପରେ ବିଜେପି ନେତା ଟ୍ୱିଟ୍ କରି ଟାର୍ଗେଟ୍ କରିଛନ୍ତି। ବିଜେପି ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, ‘କାମ୍ ଖତମ୍ ପୈସା ହଜମ। କାମ ସରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାହାକୁ ଆଉ ଚିହ୍ନୁ ନାହାନ୍ତି।’ ଦିଲ୍ଲୀ ବିଜେପି ମିଡିଆ ସେଲ୍ର ମୁଖ୍ୟ ହରିଶ ଖୁରାନା ପଚାରିଛନ୍ତି, ସିସୋଦିଆଙ୍କ ବଙ୍ଗଳା ଖାଲି କରାଇବା ଏତେ ଜରୁରୀ ପଡ଼ିଲା କାହିଁକି|ସିସୋଦିଆଙ୍କଠାରୁ ନିସ୍ତାର ପାଇବାକୁ କେଜ୍ରିୱାଲ୍ ଏତେ ବ୍ୟଗ୍ର କାହିଁକି|ସିସୋଦିଆଙ୍କ ଗିରଫଦାରି ପରେ ତାଙ୍କ ପରିବାରର ଦେଖାଶୁଣା କରିବେ ବୋଲି ଦେଇଥିବା ପ୍ରତିଶ୍ରୁତି କଥା କ’ଣ ହେଲା | ଅନ୍ୟପଟେ ବିଜେପିର ଏହି ପ୍ରଶ୍ନବାଣର ଉତ୍ତର ଦେଇଛି ଆପ୍। ପଦବୀରୁ ଇସ୍ତଫା ଦେବା ପରେ ମନ୍ତ୍ରୀ ସରକାରୀ ବାସଭବନ ଛାଡ଼ିବାକୁ ବାଧ୍ୟ ବୋଲି ଆଇନରେ ଉଲ୍ଲେଖ ଅଛି। ତେଣୁ, ଆଇନ ଅନୁସାରେ ଚିଠି ଜାରି କରାଯାଇଛି ବୋଲି ଆପ କହିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲରେ ସିବିଆଇ ଦ୍ୱାରା ଗିରଫ ହୋଇ ହାଜତକୁ ଯିବା ପରେ ଶିକ୍ଷାମନ୍ତ୍ରୀ ପଦରୁ ମନୀଷ ସିସୋଦିଆ ଇସ୍ତଫା ଦେଇସାରିଛନ୍ତି। ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ପଦବୀରୁ ସତ୍ୟେନ୍ଦ୍ର ଜୈନ୍ ଇସ୍ତଫା ଦେବାରୁ ତାଙ୍କ ସ୍ଥାନରେ ଯଥାକ୍ରମେ ଆତିଶୀ ଓ ସୌରଭ ଭରଦ୍ୱାଜଙ୍କୁ ନୂଆ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..