ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି କଂଗ୍ରେସ ଦଳର ପୂର୍ବତନ ସଭାପତି। ରାହୁଲ ଗାନ୍ଧୀ ୨୦୧୯ ମସିହାର ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତହେବା ଯୋଗୁ ଲୋକସଭା ସଦସ୍ୟତା ହରାଇଛନ୍ତି ବୋଲି ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜନପ୍ରତିନିଧି ଆଇନର ଧାରା ୧୦୨ (୧) (ଉ)ରେ ଥିବା ବ୍ୟବସ୍ଥା ଅନୁଯାୟୀ ରାହୁଲ ଗାନ୍ଧୀ ୨୩ ମାର୍ଚ୍ଚ ଠାରୁ ଆଉ ଲୋକସଭା ସଦସ୍ୟ ରହିପାରିବେ ନାହିଁ।କେରଳର ୱାୟାନାଡ ସଂସଦୀୟ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ଗତକାଲି ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।ତେବେ ଏହି ବିଜ୍ଞପ୍ତି ଉପରେ ନିଜ ମତ ରଖି କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ ବୟାନ ଦେଇ କହିଛନ୍ତି, ‘ଲୋକସଭା ସଚିବାଳୟ ଜଣେ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିପାରିବ ନାହିଁ। ଏଥିପାଇଁ ରାଷ୍ଟ୍ରପତି ନିର୍ବାଚନ ଆୟୋଗଙ୍କ ପରାମର୍ଶ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଉଲ୍ଲେଖଯୋଗ୍ୟ, ଗୁଜରାଟ ସୁରତ ସହରର ଏକ ଅଦାଲତ ଗୁରୁବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ‘ମୋଦୀ’ ସାଙ୍ଗିଆ ଉପରେ କଟୁ ମନ୍ତବ୍ୟ ଦେବା ପାଇଁ ତାଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଅବଶ୍ୟ ଏହାପରେ ରାହୁଲଙ୍କୁ ୩୦ ଦିନ ଜାମିନ ପ୍ରଦାନ କରାଯାଇଛି।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..