ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସରକାରଙ୍କ ନୀତିକୁ ସମାଲୋଚନା କରୁଥିବା କୌଣସି ଗଣମାଧ୍ୟମ ସଂସ୍ଥାନକୁ ଦେଶ ବିରୋଧୀ କୁହାଯାଇ ପାରିବ ନାହିଁ | ଏନେଇ ଆଜି ଭାରତର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ‘ମିଡିଆୱାନ୍’ ମାମଲାରେ ରାୟ ଦେଇ କହିଛନ୍ତି। ଏହାଛଡ଼ା, ମଲୟାଲମ୍ ନିଉଜ୍ ଚାନେଲ୍ ‘ମିଡିଆୱାନ୍’କୁ ‘ସିକ୍ୟୁରିଟି କ୍ଲିଅରାନ୍ସ୍’ ମଞ୍ଜୁର କରିବା ଲାଗି କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟକୁ ମଧ୍ୟ ଆଜି ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ରଦ୍ଦ କରିଛନ୍ତି। ଏହି ଘଟଣାରେ ଅଯଥା ଜାତୀୟ ନିରାପତ୍ତା ବିପନ୍ନ କଥା ଉଠାଉଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ମଧ୍ୟ ଖଣ୍ଡପୀଠ ଭର୍ତ୍ସନା କରିଛନ୍ତି। ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ଜନତାଙ୍କ ଅଧିକାର ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ପ୍ରଭାବିତ କରୁଥିଲେ ସୁଦ୍ଧା ସମାଲୋଚନାମୂଳକ ରିପୋର୍ଟ ବିପକ୍ଷରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବେ ନାହିଁ। ଜାତୀୟ ସୁରକ୍ଷା ପ୍ରସଙ୍ଗ ଉଠାଇ ଜନସାଧାରଣଙ୍କୁ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ। ମୁକ୍ତ ଗଣମାଧ୍ୟମ ଓ ଗଣମାଧ୍ୟମର ସ୍ବାଧୀନତା ଉପରେ ନିରୁତ୍ସାହଜନକ ପ୍ରଭାବ ପକାଉ ଥିବା କହି ସରକାର ଗଣମାଧ୍ୟମ ଉପରେ ଅଯଥା କଟକଣା ଜାରି କରିପାରିବେ ନାହିଁ। ସରକାରୀ କର୍ତ୍ତୃପକ୍ଷଙ୍କ ଆଗରେ ସତ୍ୟ ପ୍ରକାଶ କରିବା ଗଣମାଧ୍ୟମର କର୍ତ୍ତବ୍ୟ ବୋଲି ଖଣ୍ଡପୀଠ କହିଛନ୍ତି। ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, ସରକାରଙ୍କ ନୀତି ବିଷୟରେ ଚାନେଲ୍ ‘ମିଡିଆୱାନ୍’ର ସମାଲୋଚନାମୂଳକ ମତକୁ ସରକାର-ବିରୋଧୀ କୁହାଯାଇ ପାରିବ ନାହିଁ। ଏ କଥା କହିବାର ପରୋକ୍ଷ ଅର୍ଥ ହେଉଛି ଯେ, ଗଣମାଧ୍ୟମ ସରକାରଙ୍କୁ ସମର୍ଥନ କରିବା ଉଚିତ।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..