ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ପଦ୍ମ ଛାଡ଼ି ହାତ ଧରିଛନ୍ତି | ଚଳିତ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ଶେଟ୍ଟାରଙ୍କୁ ଟିକେଟ ନଦେବାରୁ ସେ ଏମିତି ନିଷ୍ପତ୍ତି ନେଇଛନ୍ତି। ଆଜି ପୂର୍ବାହ୍ନ ୧୦ଟା ପରେ ଶେଟ୍ଟାର ବେଙ୍ଗାଲୁରୁସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲାଙ୍କ ଉପସ୍ଥିତିରେ ଶେଟ୍ଟାର ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଶେଟ୍ଟାରଙ୍କୁ ବୁଝାଇବା ପାଇଁ ବିଜେପି ପକ୍ଷରୁ ବହୁତ ପ୍ରୟାସ କରାଯାଇଥିଲେ ହେଁ ସେ ମାନି ନଥିଲେ। ଜଗଦୀଶ ଶେଟ୍ଟାର ବିଜେପିର ରାଜ୍ୟ ସଭାପତି ସହ ବିଧାନସଭା ବାଚସ୍ପତି ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ। ସେ ଲଗାତର ୬ ଥର ହୁବଲି-ଧରୱାଡ କେନ୍ଦ୍ରୀୟ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଲିଙ୍ଗାୟତ ସମ୍ପ୍ରଦାୟର। ଏହା ସତ୍ତ୍ୱେ ବିଜେପି ତାଙ୍କୁ ଚଳିତ ନିର୍ବାଚନ ପାଇଁ ଟିକେଟ ଦେଲା ନାହିଁ। ତେଣୁ ଖୁବ୍ ଅପମାନିତ ବୋଧ କରି ସେ ବିଜେପି ଛାଡ଼ିଥିବା ଶେଟ୍ଟାର କହିଛନ୍ତି। ଶେଟ୍ଟାର କହିଛନ୍ତି, ମୁଁ ଜଣେ ବରିଷ୍ଠ ନେତା ହୋଇଥିଲେ ହେଁ ଦଳ ମୋତେ ଅପମାନିତ କରିଛି। ମୁଁ ରାଜ୍ୟରେ ବିଜେପିକୁ ଗଢ଼ିଥିବା ବେଳେ ଦଳ ମୋତେ ମାନସମ୍ମାନ ଓ ପଦ ଦେଇଥିଲା। ପ୍ରତିବଦଳରେ ମୁଁ ବି ପାର୍ଟିକୁ ବହୁତ କିଛି ଦେଇଛି। ମୁଁ ହୁବ୍ଲି-ଧାରବାଡ଼ରୁ ୬ ଥର ନିର୍ବାଚିତ ହୋଇସାରିଛି। ଏହା ସତ୍ତ୍ୱେ ସେମାନେ ମୋତେ ଅଣଦେଖା କଲେ ଓ ଅପମାନିତ କଲେ। ଏଥିରେ ମୁଁ ବିଚଳିତ । ତେଣୁ ମୁଁ ଏହାକୁ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇ କଂଗ୍ରେସରେ ଯୋଗ ଦେଇଛି। କଂଗ୍ରେସର କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୁରଜେୱାଲା ଟ୍ୱିଟ କରି କହିଛନ୍ତି, ଏକ ନୂଆ ଅଧ୍ୟାୟ, ଏକ ନୂଆ ଇତିହାସ ଓ ଏକ ନୂଆ ଆରମ୍ଭ । ବିଜେପିର ପୂର୍ବତମ ସିଏମ୍, ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ତଥା ୬ ଥରର ବିଧାୟକ ଜଗଦୀଶ ଶେଟ୍ଟାର ଆଜି କଂଗ୍ରେସ ପରିବାରରେ ସାମିଲ ହୋଇଛନ୍ତି। ଶେଟ୍ଟାରଙ୍କ ଇସ୍ତଫାର ପ୍ରଭାବ ବିଜେପି ଉପରେ ପଡ଼ିପାରେ ବୋଲି ଆଲୋଚନା ହେଉଛି। ନିଜେ ଶେଟ୍ଟାର ଦାବି କରିଥିଲେ ଯେ ସେ ବିଜେପି ଛାଡ଼ିଲେ ଚଳିତ ନିର୍ବାଚନରେ ଦଳକୁ ୨୦/୨୫ ଟି ଆସନରେ କ୍ଷତି ସହିବାକୁ ପଡ଼ିବ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….