ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଖୁଚୁରା ମୁଦ୍ରସ୍ଫୀତି ହ୍ରାସ ପାଇଛି। ନିକଟରେ କ୍ଷୀର ଏବଂ କ୍ଷୀରଜାତୀୟ ଉତ୍ପାଦ ମହଙ୍ଗା ହୋଇଥିବାବେଳେ ଆଗାମୀ ଦିନରେ ସାବୁନ, ଶାମ୍ପୁ ଏବଂ ଡିଟରଜେଣ୍ଟ ଆଦି ଗାଧୁଆ ଓ ସଫା ସାମଗ୍ରୀ ମହଙ୍ଗା ହେବାର ସମ୍ଭାବନା ରହିଛି। ସରକାର ଏସବୁ ସାମଗ୍ରୀ ପ୍ରସ୍ତୁତ ହେଉଥିବା ପ୍ରମୁଖ କଞ୍ଚାମାଲ ଉପରେ ଶୁଳ୍କ ବୃଦ୍ଧି କରିପାରନ୍ତି। ବାଣିଜ୍ୟ ମନ୍ତ୍ରାଳୟ ଅଧୀନ ଡାଇରେକ୍ଟର ଜେନେରାଲ ଅଫ୍ ଟ୍ରେଡ୍ ରିମେଡିଜ୍ (ଡିଜିଟିଆର୍) ଦୁଇମାସ ପୂର୍ବରୁ ଏକ ପ୍ରସ୍ତାବ ଦେଇଥିଲା। ଏଥିରେ କୁହାଯାଇଥିଲା ଯେ ଇଣ୍ଡୋନେସିଆ, ମାଲେସିଆ ଏବଂ ଥାଇଲାଣ୍ଡ ଭଳି ଦେଶରୁ ଆମଦାନି ହେଉଥିବା ସାଚ୍ୟୁରେଟେଡ ଫ୍ୟାଟି ଆଲକହଲ ଉପରେ ଟିକସ ବୃଦ୍ଧି ହେବା ଆବଶ୍ୟକ। ଏସବୁ ସାମଗ୍ରୀ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ବୃଦ୍ଧି ସହିତ ଅତିରିକ୍ତ କାଉଣ୍ଟରଭେଲିଂ ଡ୍ୟୁଟି ଲଗାଇବାର ପ୍ରସ୍ତାବ ଦିଆଯାଇଛି। ସରକାର ଯଦି ଡାଇରେକ୍ଟର ଜେନେରାଲ ଅଫ୍ ଟ୍ରେଡ ରିମେଡିଜର ପ୍ରସ୍ତାବକୁ ଗ୍ରହଣ କରି ନିଅନ୍ତି ତାହେଲେ ଆଗାମୀ ଦିନରେ ସାଚ୍ୟୁରେଟେଡ ଫ୍ୟାଟି ଆଲକହଲ ମୂଲ୍ୟ ମହଙ୍ଗା ହୋଇଯିବ। ଯଦି କଞ୍ଚମାଲ ମୂଲ୍ୟ ବଢ଼ିଯାଏ ତାହେଲେ କମ୍ପାନିଗୁଡ଼ିକ ସ୍ବାଭାବିକ ଭାବେ ଏହାର ବୋଝ ଗ୍ରାହକଙ୍କ ଉପରେ ଲଦିବେ। ତେବେ ଡାଇରେକ୍ଟର ଜେନେରାଲ ଅଫ୍ ଟ୍ରେଡ ରିମେଡିଜ୍ର ପ୍ରସ୍ତାବ ଉପରେ ସାବୁନ, ଶାମ୍ପୁ ଏବଂ ଡିଟରଜେଣ୍ଟ ଉଦ୍ୟୋଗ ସହ ଜଡ଼ିତ ସଂଗଠନ ଇଣ୍ଡିଆନ୍ ସର୍ଫାକ୍ଟାଣ୍ଟ ଗ୍ରୁପ (ଆଇଏସ୍ଜି) ଚିନ୍ତା ବ୍ୟକ୍ତ କରିଛି। ଶୁଳ୍କ ନବଢ଼ାଇବା ଲାଗି ଅର୍ଥ ମନ୍ତ୍ରାଳୟକୁ ଆଇଏସ୍ଜି ଚିଠି ଲେଖିଛି।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..