Report Card Odisha

| Daily Odia News

ଅନୁକମ୍ପାମୂଳକ ପୁଅକୁ ମିଳିପାରିବ ଚାକିରି…..

ରିପୋର୍ଟ କାର୍ଡ / କଟକ

ବାପାଙ୍କ ମୃତ୍ୟୁ ପରେ ପୁଅକୁ ଅନୁକମ୍ପାମୂଳକ ଥଇଥାନ ଯୋଜନାରେ ଚାକିରି ମିଳିପାରିବ | ଅନୁକମ୍ପା ମୂଳକ ଥଇଥାନ ଆବେଦନର ଶୁଣାଣି କରି ଉଚ୍ଚନ୍ୟାୟାଳୟ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀ ଓ ବିଚାରପତି ମୂରହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ବିବରଣୀର ପ୍ରକାଶ ଯେ, ବଲାଙ୍ଗୀର ଜିଲା ମୃତ୍ତିକା ବିଭାଗ ଉପନିର୍ଦେଶକ କାର୍ଯ୍ୟାଳୟରେ ଗେହ୍ଲା କୁମାର ପୁଟେଲ ପିଅନ ଭାବେ କାର୍ଯ୍ୟ କରୁଥିଲେ। ୨୦୦୮ ମସିହାରେ ଗେହ୍ଲା କୁମାରଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ତାଙ୍କ ପତ୍ନୀଙ୍କୁ ୪୪ବର୍ଷ ଓ ପୁଅକୁ ୧୨ ବର୍ଷ ହୋଇଥିଲା। ସେତେବେଳେ ଅନୁକମ୍ପା ମୂଳକ ଥଇଥାନ ଯୋଜନାରେ ତାଙ୍କ ପତ୍ନୀଙ୍କ ଚାକିରି ପାଇବା କଥା। ମାତ୍ର ଗେହ୍ଲା କୁମାରଙ୍କ ପତ୍ନୀ ଅସୁସ୍ଥ ଥିବା ଦର୍ଶାଇବା ସହ ତାଙ୍କ ପୁଅକୁ ଏହି ଯୋଜନାରେ ନିଯୁକ୍ତି ଦେବା ଲାଗି ବିଭାଗୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ପୁଅର ବୟସ ୧୨ବର୍ଷ ହୋଇଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ପତ୍ନୀଙ୍କ ଏହି ଆବେଦନକୁ ଖାରଜ କରି ଦିଆଯାଇଥିଲା। ଏ ନେଇ ପତ୍ନୀ ସ୍ୟାଟ୍‌ଙ୍କ ଦ୍ବାରସ୍ଥ ହୋଇଥିଲେ। ସ୍ୟାଟ୍‌ ମଧ୍ୟ ଆବେଦନକୁ ଖାରଜ କରିଥିଲେ। ପରେ ସାବାଳକ ହେବା ପରେ ଚାକିରି ପାଇବା ନିମନ୍ତେ ପୁଅ ୨୦୨୦ ମସିହାରେ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଉଚ୍ଚନ୍ୟାୟାଳୟ ଏହି ମାମଲାର ଶୁଣାଣି କରି କହିଲେ ଜଣେ ଚାକିରି କରିବା ସମୟରେ ମୃତ୍ୟୁବରଣ କରିବା ୩ବର୍ଷ ମଧ୍ୟରେ ଅନୁକମ୍ପା ମୂଳକ ଚାକରି ପାଇଁ ଆବେଦନ କରିପାରିବ। ଏଠାରେ ଆବେଦନକାରୀ ସାବାଳକ ଅର୍ଥାତ୍‌ ୧୮ ବର୍ଷ ହେବାର ୩ବର୍ଷ ମଧ୍ୟରେ ଚାକିରି କରିବା ପାଇଁ ଆବେଦନ କରିଥିବାରୁ ଏଥିରେ କୌଣସି ଭୁଲ ନାହିଁ। ଯଦି ମୃତକଙ୍କ ପତ୍ନୀ ଅସୁସ୍ଥ ରହିଛନ୍ତି, ତାହେଲେ ଅନୁକମ୍ପାମୂଳକ ଥଇଥାନ ମାଧ୍ୟମରେ ପୁଅକୁ ମଧ୍ୟ ଚାକିରି ଦିଆଯାଇପାରିବ ବୋଲି ଉଚ୍ଚ ନ୍ୟାୟାଳୟ ରାୟରେ ସ୍ପଷ୍ଟ କରିଛନ୍ତି। ଅଦାଲତଙ୍କ ଆଦେଶ ପାଇବାର ଆସନ୍ତା ୩ମାସ ମଧ୍ୟରେ କୃଷି ବିଭାଗ ପକ୍ଷରୁ ଆବେଦନକାରୀଙ୍କ ସ୍ମାରକପତ୍ର ଉପ​ରେ ବିଚାର କରି ଅନୁକମ୍ପା ମୂଳକ ନିଯୁକ୍ତି ନିମନ୍ତେ ପଦକ୍ଷେପ ନେବାକୁ ଉଚ୍ଚନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି।

Breaking News