Report Card Odisha

| Daily Odia News

ବିଏମ୍‌ସିର ଥ୍ରୀ ଆର୍‌ ଅଭିଯାନ ଆରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ଥ୍ରୀ ଆର୍‌, ରି-ୟୁଜ୍‌ ଓ ରିସାଇକେଲ। ଅର୍ଥାତ୍‌ କମ୍‌ ଉପଯୋଗ କରିବା, ତା’ର ପୁନଃ ବ୍ୟବହାର କରିବା ଏବଂ ପୁନଃ ଚକ୍ରଣ କରିବା। ଏହାଦ୍ୱାରା କୌଣସି ଜିନିଷ ଅଯଥାରେ ନଷ୍ଟ ହେବ ନାହିଁ କି ମହାନଗର ନିଗମ ଅପରିଷ୍କାର ହେବ ନାହିଁ। ପ୍ରତ୍ୟେକଙ୍କ ଘରେ ବ୍ୟବହାର ହେଉ ନ ଥିବା ପୁରୁଣା ଲୁଗା, ଡ୍ରେସ, ପୁରୁଣା ବହି, ରେନ୍‌କୋଟ୍‌, ଛତା, ପୁରୁଣା ଖେଳଣା, ଛୋଟ ପିଲାଙ୍କ ସାଇକେଲ, ଘର କରଣା ଜିନିଷ ଆଦିକୁ ଏଣେତେଣେ ନ ପିଙ୍ଗି ତାହାକୁ ବିଏମ୍‌ସି ଦ୍ୱାରା ନିଯୁକ୍ତ ତଥା ନିର୍ଦ୍ଧାରିତ କେନ୍ଦ୍ରରେ ପ୍ରଦାନ କଲେ ସେଗୁଡିକ ଅନ୍ୟମାନଙ୍କ କାମରେ ଆସିପାରିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା। ସୋମବାର କଳ୍ପନା ଛକ ନିକଟରେ ଥିବା ଉତ୍କଳ ଗ୍ୟାଲେରିଆ ପରିସରରେ ଏ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ମନୋରଞ୍ଜନ ସାହୁ, ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠୀ, ପ୍ରିୟବ୍ରତ ପାଢ଼ୀ, ପୁରନ୍ଦର ନନ୍ଦ, ସ୍ଥାନୀୟ କର୍ପୋରେଟର ନୃପେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଯେତେ କମ୍‌ ଉପେଯାଗ କରିବା, ସେତେ ଅଳିଆ ଭାରାକ୍ରାନ୍ତରୁ ରକ୍ଷା ପାଇବା। ଏହି ଅଭିଯାନ ନିଜ ନିଜ ଘରୁ ଆରମ୍ଭ କରିବା ଦରକାର। ଆମେ ଘରେ ଯେତେ କମ୍‌ ଲୁଗାପଟା ବା ଡ୍ରେସ, ପ୍ଲାଷ୍ଟିକ, ଖେଳଣା ଇତ୍ୟାଦି କମ୍‌ ବ୍ୟବହାର କରିବା ସେତେ ଭଲ। ଯେତେବେଳେ ସେଗୁଡିକ ବ୍ୟବହାର ଅନୁପଯୋଗୀ ହେବ ସେତେବେଳେ ତାକୁ ରିସାଇକେଲ ବା ପୁନଃ ଚକ୍ରଣ କରାଯାଇ ପାରିବ। ଏହି ଅଭିଯାନ ସହରର ବିଭିନ୍ନ ୱାର୍ଡରେ କିପରି କରାଯିବ ଏବଂ ଏଥିରେ ଗୋଷ୍ଠୀ ସହଯୋଗ କିପରି ମିଳିବ ତାହାର ନକ୍‌ସା ପ୍ରସ୍ତୁତ ହୋଇଥିବା ନେଇ ମେୟର ସୂଚନା ଦେଇଥିଲେ। ଭୁବନେଶ୍ୱର ମହାନଗର ନିଗମକୁ ସ୍ବଚ୍ଛ, ସବୁଜ ଓ ସୁନ୍ଦର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ପ୍ରତ୍ୟେକ ନାଗରିକ ସାମିଲ ହେବା ସହ ଏହାକୁ ମିଶନ ମୋଡରେ କାର୍ଯ୍ୟକାରୀ କରିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ କମିଶନର ‘ଥିଲେ ଦିଅ, ନଥିଲେ ନିଅ’ ଆହ୍ବାନ ଦେଇଥିଲେ।

Breaking News