Report Card Odisha

| Daily Odia News

ଜୁନ ୪ ସୁଦ୍ଧା ମୌସୁମୀ କେରଳ ଛୁଇଁବ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆସନ୍ତା ଜୁନ ମାସ ୪ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ଟ୍ବିଟ କରି ସୂଚନା ଦେଇଛି। ଜୁନ ୧ ବଦଳରେ ସାମାନ୍ୟ ବିଳମ୍ବରେ ଜୁନ ୪ରେ ମୌସୁମୀ ବାୟୁ କେରଳ ଛୁଇଁ ପାରେ ବୋଲି କୁହାଯାଇଛି। କେରଳ ଛୁଇଁବାର ପ୍ରାୟ ୧୦ରୁ ୧୨ ଦିନ ପରେ ଓଡ଼ିଶା ଆସିଥାଏ ମୌସୁମୀ। ଏହି ପରିପ୍ରେକ୍ଷୀରେ ଜୁନ ୧୪ରୁ ୧୬ସୁଦ୍ଧା ଓଡ଼ିଶାରେ ମୌସୁମୀ ସକ୍ରିୟ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ ୧ରେ କେରଳ ଛୁଇଁଥାଏ। ହେଲେ ଏଥର ଏହା ସାମାନ୍ୟ ବିଳମ୍ବରେ ଆସିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌମୁସୀ ବାୟୁ କେରଳ ଆସିବାରେ ସାମାନ୍ୟ ବିଳମ୍ବ ହେବ। ଜୁନ ୪ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି। ଏହା ୪ ଦିନ ଏପଟ ସେପଟ ମଧ୍ୟ ହୋଇପାରେ।” କେରଳ ଛୁଇଁବାର ୧୦ ଦିନ ପରେ ମୌସୁମୀ ଓଡ଼ିଶାକୁ ଆସିଥାଏ। ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା। ଗତମାସରେ ଆଇଏମଡି କହିଥିଲା ଯେ ଚଳିତ ବର୍ଷ ଏଲ ନିନୋର ପ୍ରଭାବ ପଡ଼ିପାରେ। ତଥାପି ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବ ବୋଲି ଆକଳନ କରାଯାଇଛି।

Breaking News