Report Card Odisha

| Daily Odia News

ପାଶ୍ଚାତ୍ୟ ଦେଶକୁ ରୁଷ୍‌ର ଚେତାବନୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ ନିୟମିତ ଭାବେ ଯୁଦ୍ଧ ସରଞ୍ଜାମ, ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି। ସେମାନେ ୟୁକ୍ରେନ୍‌କୁ ଏଫ୍‌-୧୬ ଲଢ଼ୁଆ ବିମାନ ଦେବାକୁ ମସୁଧା କରୁଥିବା ବେଳେ ଏହାର ଘୋର ପ୍ରତିବାଦ କରିଛି ରୁଷ୍। ରୁଷ୍ ଉପବୈଦେଶିକ ମନ୍ତ୍ରୀ ଆକେ୍‌ଜାଣ୍ଡର ଗ୍ରୁସ୍କୋ ଶନିବାର ଚେତାବନୀ ଦେଇ କହିଛନ୍ତି, ଯଦି ସେମାନେ ୟୁକ୍ରେନ୍‌କୁ ଏଫ୍‌-୧୬ ଲଢ଼ୁଆ ବିମାନ ଦିଅନ୍ତି, ତେବେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ହେବ। ଗ୍ରୁସ୍କୋ କହିଛନ୍ତି, ପାଶ୍ଚାତ୍ୟ ଦେଶଗୁଡ଼ିକ ଯୁଦ୍ଧ ଘନଘଟା ବଢ଼ାଇବାକୁ ଚାହୁଛନ୍ତି, ଯାହାର ଭୟଙ୍କର ପରିଣତି ସେମାନଙ୍କୁ ଭୋଗିବାକୁ ପଡ଼ିବ। ଲକ୍ଷ୍ୟ ହାସଲ ପାଇଁ ଆମ ପାଖରେ ସବୁ ପ୍ରକାର ସାଧନ ଅଛି ବୋଲି ସେ କହିଛନ୍ତି। ବିଦେଶ ଓ ପ୍ରତିରକ୍ଷା ନୀତି ପରିଷଦର ୩୧ତମ ସମ୍ମିଳନୀର ସାଇଡ୍‌ଲାଇନରେ ୟୁକ୍ରେନ୍‌କୁ ସମ୍ଭାବ୍ୟ ଏଫ୍‌-୧୬ ଯୁଦ୍ଧ ବିମାନ ଯୋଗାଣ ଉପରେ ପ୍ରଶ୍ନ କରାଯିବା ପରେ ଗ୍ରୁସ୍କୋ ଏହା କହିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି-୭ ନେତାମାନଙ୍କୁ ସୂଚନା ଦେଇଥିଲେ ଯେ, ଆମେରିକା ୟୁକ୍ରେନ୍‌ର ପାଇଲଟମାନଙ୍କୁ ଏଫ୍‌-୧୬ ସମେତ ଚତୁର୍ଥ ପିଢ଼ି ଯୁଦ୍ଧବିମାନର ଉଡ଼ାଣ ବିଷୟରେ ତାଲିମ ଦେବ। ଜାପାନର ହିରୋସିମାରେ ଅନୁଷ୍ଠିତ ଜି୭ ସମ୍ମିଳନୀରେ ୟୁକ୍ରେନ୍‌କୁ ଏଫ୍‌-୧୬ ଦେବା ବିଷୟରେ ଆଲୋଚନା ହୋଇଥିଲା।

 

Breaking News