ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯିବା, ସାଧାରଣ ସଭା କରିବା କୁ ନେଇ ବିବାଦ ବଢ଼ିବାରେ ଲାଗିଛି | ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଆଜି ବରଗଡ଼ଗସ୍ତରେ ଥିବା 5T ସଚିବ ଭି.କେ ପାଣ୍ଡିଆନ୍ ଏକ ସଭାରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଲୋକଙ୍କୁ ଶୁଣାଇଛନ୍ତି । ନବୀନଙ୍କ ଏକ ଅଡିଓ ରେକର୍ଡିଂକୁ ଶ୍ରୀ ପାଣ୍ଡିଆନ ମିଶନ ଶକ୍ତି ସଭାରେ ମା ମାନଙ୍କୁ ଫୋନରୁ ବଜାଇ ଶୁଣାଇଛନ୍ତି । ଲୋକେ ଠିକ୍ ସେ ଶୁଣିନପାରିବେ ସେଥିପାଇଁ ପୂର୍ବରୁ ରେକର୍ଡିଂ ହୋଇଥିବା ନବୀନଙ୍କ ଏହି ଅଡିଓ କୁ ଦୁଇଦୁଇ ଥର ବଜାଇ ଶୁଣାଇଛନ୍ତି ।

ଯେଉଁଥିରେ ନବୀନ କହିଥିଲେ, “ଆପଣଙ୍କ ସୁଖଦୁଃଖ ବୁଝିବା ପାଇଁ ମୁଁ ମୋ ସଚିବଙ୍କୁ ପଠାଇଛି । ଆପଣମାନେ ଭଲ କାମ କରନ୍ତୁ । ମୁଁ ସାହାଯ୍ୟ କରିବି ।” ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇ ପଦ କଥା ପରେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଥିବା ସ୍ପଷ୍ଟ ହୋଇଛି । ଏହାସହିତ ପାଣ୍ଡିଆନଙ୍କ ରାଜ୍ୟ ବୁଲିବାକୁ ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ଉପସଭାପତି ତଥା ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଠାଇଥିବା ପ୍ରଶ୍ନ ର ଉତ୍ତର ଥିବାନେଇ ଚର୍ଚ୍ଚା ହଉଛି | ସଚିବ ପାହ୍ୟାର ଅଫିସରଙ୍କ ଜିଲ୍ଲା ଗସ୍ତରେ ଯେଉଁ ଭବ୍ୟ ସମ୍ବର୍ଦ୍ଧନା ଓ ସୁରକ୍ଷା ଆଦି ବ୍ୟବସ୍ଥା ହେଉଛି ତାହା କ’ଣ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହେଉଛି ନା ସେଥିପାଇଁ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଛନ୍ତି ତାହା ଜଣାପଡ଼ିନି । ରାଜ୍ୟ ବୁଲିବା ପାଇଁ ଅନୁମତି ଦେଇଥିବା ନେଇ ନବୀନଙ୍କ ସ୍ପଷ୍ଟୀକରଣ ପରେ ବିରୋଧୀ ବିଜେପି ଓ କଂଗ୍ରେସ କିଭଳି ଆଭିମୁଖ୍ୟ ପୋଷଣ କରୁଛି ଓ ନବୀନଙ୍କୁ ଜଣେ ଭଲ ଛାତ୍ର କହି ଉତ୍ତର ଦେବାକୁ ଡର କାହିଁକି ବୋଲି ସୌମ୍ୟ ପ୍ରଶ୍ନ କରିବା ପରେ ନବୀନ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି ବୋଲି ଚର୍ଚ୍ଚା ଜୋରଧରିଛି |






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..