ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିରୋଧୀଙ୍କ କଡ଼ା ବିରୋଧ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଜିଲ୍ଲା ଗସ୍ତ ଜାରି ରଖିଛନ୍ତି । ଆଉ ଶ୍ରୀ ପାଣ୍ଡିଆନଙ୍କୁ ବିରୋଧ ପ୍ରସଙ୍ଗରେ ବିରୋଧୀଙ୍କ ମୁକାବିଲା ପାଇଁ ବିଜେଡି ଜଣେପରେ ଜଣେ ନିଜର ବରିଷ୍ଠ ନେତାମାନଙ୍କୁ ଆଗକୁ ଆଣୁଛି । ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଓ ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ନିଜଆଡ଼ୁ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ମତ ରଖିବା ସହ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ଶ୍ରୀ ପାଣ୍ଡିଆନଙ୍କୁ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ହେଉଥିବା ବ୍ୟକ୍ତିଗତ ସମାଲୋଚନା ଓ ଜିଲ୍ଲାସ୍ତରରେ ବିରୋଧ ପରେ ବିଜେଡି ଏହାର ଜବାବ ଦେବାକୁ ନିଜର ପୁରୁଖା ନେତାମାନଙ୍କୁ ଆଗକୁ ଆଣି ବିରୋଧୀଙ୍କ କଡ଼ା ମୁକାବିଲା କରିବ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ଶ୍ରୀ ପାଣ୍ଡିଆନ ଆଜି ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ବାଲିକୁଦା-ଏରସମା ଓ ପାରାଦୀପ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେଠାରେ ତାଙ୍କୁ ବିଜେପି ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ କଳାପୋଷାକ ଓ କଳା ବେଲୁନ ଉଡ଼ାଇ ବିରୋଧ କରାଯାଇଛି । ପାଣ୍ଡିଆନଙ୍କ ସମର୍ଥନ ଓ ବିରୋଧୀଙ୍କ ମୁକାବିଲା ପାଇଁ କିଭଳି ପଦକ୍ଷେପ ନିଆଯିବ ଏନେଇ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ବିଚାରବିମର୍ଶ ହୋଇଥିବା ଜଣାପଡ଼ିଛି । ଫଳସ୍ୱରୂପ ଅତନୁ ସବ୍ୟସାଚୀ ନାୟକ ଓ ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି | ଆଗାମୀ ଦିନରେ ଦଳର ଅନ୍ୟ ବରିଷ୍ଠ ନେତାମାନେ ଆଗକୁ ଆସିବେ ତଥା ବିରୋଧୀ ଦଳ କରୁଥିବା ସମାଲୋଚନାର ଜବାବ ଦେବେ ବୋଲି ସୂଚନା ମିଳିଛି ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….