Report Card Odisha

| Daily Odia News

ପ୍ରବଳ ବର୍ଷିବ, ୨୧ ଜିଲ୍ଲା କୁ ତର୍କ ସୂଚନା ଜାରି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ମୌସୁମୀ ବାୟୁ ନିଷ୍କ୍ରିୟ ଥିବାରୁ ତାପମାତ୍ରା ବୃଦ୍ଧି ପାଇବା ଏବଂ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବାରୁ ଗୁଳୁଗୁଳି ଅନୁଭୂତ ହେଉଥିଲା। ଆଗକୁ ମୌସୁମୀ ସକ୍ରିୟ ହେବା ସମ୍ଭାବନା ଥିବାରୁ ବର୍ଷା ପରିମାଣ ବୃଦ୍ଧି ପାଇବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ରବିବାର ମୌସୁମୀ ବାୟୁ ସହିତ ଜଡିତ ନିମ୍ନଚାପରେଖା ବିକାନେର, ଗ୍ବାଲିଅର, ସିଦ୍ଧି, ଅମ୍ବିକାପୁର ଦେଇ ଓଡ଼ିଶାର ବାଲେଶ୍ବର ପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଅର୍ଥାତ ଏହା ସ୍ବାଭାବିକ ଅବସ୍ଥାନରୁ ଦକ୍ଷିଣରେ ରହୁଥିବାରୁ ମୌସୁମୀ ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରିବାର ସମ୍ଭାବନା ରହିଛି। ନିମ୍ନ ଚାପରେଖା ଯେହେତୁ ସ୍ବାଭାବିକ ଅବସ୍ଥାନରୁ ଦକ୍ଷିଣରେ ରହିଛି ଏବଂ ବାଲେଶ୍ବରରେ ଅତିକ୍ରମ କରୁଛି, ତେଣୁ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ ଏବଂ ଢେଙ୍କାନାଳର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ଏହି ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ରହିବ। ୫ ତାରିଖ ବେଳକୁ ବର୍ଷା ପରିମାଣ ବୃଦ୍ଧି ପାଇବ। ଉତ୍ତର, ଦକ୍ଷିଣ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲା ରେ ବର୍ଷା ବଢ଼ିବାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ଉତ୍ତର-ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧.୩ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୧୦.୪ମିମି ତୁଳନାରେ ୮୭% କମ ରହିଛି। ସର୍ବାଧିକ ବର୍ଷା କେନ୍ଦ୍ରାପଡ଼ା ରାଜନଗରରେ ୭୦ ମିମି ରେକର୍ଡ କରାଯାଇଛି। ଅନ୍ୟପଟେ ସାରା ଦେଶକୁ ରବିବାର ମୌସୁମୀ ଅଗ୍ରସର ହୋଇଛି। ସ୍ୱାଭାବିକ ଭାବେ ଜୁଲାଇ ୮ରେ ଛୁଇଁଥାଏ; କିନ୍ତୁ ଚଳିତ ବର୍ଷ ଜୁଲାଇ ୨ରେ ଛୁଇଁଥିବାରୁ ୬ ଦିନ ଆଗରୁ ସାରା ଦେଶକୁ ମୌସୁମୀ ଅଗ୍ରସର ହୋଇଥିବା ଜଣାପଡିଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଦୁର୍ବଳ ହେତୁ ବର୍ଷା ପରିମାଣ କମିବା ସହ ଉଚ୍ଚ ଆର୍ଦ୍ରତାର ଉପସ୍ଥିତି ହେତୁ ଗୁଳୁଗୁଳି ଅନୁଭୂତ ହେଉଛି। ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶା ସହିତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ ଏବଂ କେନ୍ଦୁଝର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ ଏବଂ ବୌଦ୍ଧର କେତେକ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ ଏବଂ ନବରଙ୍ଗପୁରର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପରୋକ୍ତ ଜିଲା ଗୁଡ଼ିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇ ଥିବାରୁ ସମ୍ପୃକ୍ତ ଜିଲାର ଜିଲାପାଳମାନେ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି)ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି।

Breaking News