Report Card Odisha

| Daily Odia News

ଯୌବନ ସମସ୍ତଙ୍କୁ ଭଲ ଲାଗେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଯୌବନ ସମସ୍ତଙ୍କୁ ସୁଖ ଲାଗେ | ଆଜି ‘ଏନ୍‌ଆଇଟି-ଦିଲ୍ଲୀ’ର ଜଣେ ଛାତ୍ରଙ୍କ ପ୍ରଶ୍ନ ଉତ୍ତର ଦେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ପ୍ରଥମେ ଜଣେ ଅମଲା ଭାବେ କାର୍ଯ୍ୟ କରିବା ପରେ ଏବେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଜୟଶଙ୍କରଙ୍କ ସହିତ ଭାବ ଆଦାନପ୍ରଦାନ ବେଳେ ଜଣେ ଛାତ୍ର ପଚାରିଲେ ଯେ, ତାଙ୍କୁ କେଉଁ ଜୀବନ ଭଲ ଲାଗିଛି- ଅମଲା ନା ମନ୍ତ୍ରୀ। ଜୟଶଙ୍କର କହିଲେ, ଯୌବନକୁ ସମସ୍ତେ ସୁଖ ପାଆନ୍ତି। ମନ୍ତ୍ରୀଙ୍କ ଉତ୍ତର ଶୁଣି ଉପସ୍ଥିତ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ଉଲ୍ଲେଖଯୋଗ୍ୟ, ନରେନ୍ଦ୍ର ମୋଦୀ ସରକାରର ୯ମ ବାର୍ଷିକୀ ପାଳନ ଅବସରରେ ‘ବିଜେପି’ର ବିଶାଳ ଜନ ସମ୍ପର୍କ ଅଭିଯାନର ଅଂଶ ଭାବେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ‘ଏନ୍‌ଆଇଟି-ଦିଲ୍ଲୀ’ ଶିକ୍ଷାର୍ଥୀମାନଙ୍କ ସହିତ ଆଳାପ ଆଲୋଚନା କରିଥିଲେ। ସେ କହିଲେ, ବୈଷୟିକ ବିଦ୍ୟା, ଗବେଷଣା ଓ ବିକାଶ ନ ଆଦରିଲେ ଦେଶ ପ୍ରଗତି କରିପାରିବ ନାହିଁ। ଆଞ୍ଚଳିକ ଓ ବୈଶ୍ବିକ ଘଟଣାବଳୀକୁ ହୃଦୟଙ୍ଗମ କରିବା ଲାଗି ମଧ୍ୟ ସେ ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଜଗତିକରଣ ଅଭ୍ୟନ୍ତର ଓ ବାହ୍ୟ ସୀମାରେଖାର ପତନ ଘଟାଇଛି। ତେଣୁ, ଚତୁଃପାର୍ଶ୍ବରେ କ’ଣ ଘଟୁଛି ତାହା ବୁଝିବା ଉଚିତ। ଏହାର ଦୃଷ୍ଟାନ୍ତ ସ୍ବରୂପ ସେ ପେଟ୍ରୋଲିୟମ୍‌ ଉତ୍ପାଦ ଓ ଖାଦ୍ୟଶସ୍ୟ ମୂଲ୍ୟ ଉପରେ କୋଭିଡ୍‌ ମହାମାରୀ ଓ ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ କଥା କହିଥିଲେ।

Breaking News