ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ଥାନୀୟ ଛତ୍ରପତି ଶିବାଜୀ ମହାରାଜା ସ୍ମାରକୀ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତର ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି। ମାତ୍ର ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସାମାଜିକ କର୍ମୀଙ୍କ କହିବା ଅନୁଯାୟୀ ଏହି ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନଥିବାରୁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇପାରୁ ନାହାନ୍ତି। ଏହି ଡାକ୍ତରଖାନାଟି ଆଖପାଖ ଅଞ୍ଚଳ ପାଇଁ ଏକ ରେଫରାଲ ହସ୍ପିଟାଲ ହୋଇଥିବାରୁ ଏଠାକୁ ପ୍ରତିଦିନ ବହୁ ସଂଖ୍ୟକ ରୋଗୀ ଆସିଥାନ୍ତି। ମୃତକମାନେ କ୍ରୋନିକ୍ ପକ୍ଷାଘାତ, ବୃକ୍କରେ ପଥର ଜମା, ଅଲସର, ନିମୋନିଆ, ବିଷପାନ ଭଳି ରୋଗରେ ପୀଡିତ ଥିଲେ। ଏହି ଘଟଣା ପରେ ମନ୍ତ୍ରୀ ଅଦିତି ଟାଟ୍କାରେ ଡାକ୍ତରଖାନା ପରିଦର୍ଶନ କରିବା ସହିତ ଆବଶ୍ୟକ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରୋଗୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଡାକ୍ତରଖାନାରେ ଦୈନିକ ୫୦୦ ରୋଗୀ ଚିକିତ୍ସା କରିବାକୁ ଭିତ୍ତିଭୂମି ଥିବାବେଳେ ଏଠାକୁ ଦୈନିକ ପ୍ରାୟ ୬୫୦ ରୋଗୀ ଆସୁଥିବା କୁହାଯାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..