ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମାଲେସିଆର ରାଜଧାନୀ କୁଆଲାଲମ୍ପୁର୍ ଉପକଣ୍ଠରେ ଥିବା ବିମାନ ବନ୍ଦରରେ ଅବତରଣ କରିବାକୁ ଉଦ୍ୟମ କରୁଥିବା ଏକ କ୍ଷୁଦ୍ର ଘରୋଇ ଜେଟ୍ ବିମାନ ଗୋଟାଏ ବାଇକ୍ ଓ ଗୋଟାଏ କାର୍କୁ ଧକ୍କା ଦେଇଛି | ଫଳରେ ୧୦ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡିଛି |ସୂଚନା ଅନୁସାରେ- ‘ବିଚ୍କ୍ରାଫ୍ଟ୍ ମଡେଲ୍ ୩୯୦’ର (ପ୍ରିମିୟର୍) ଉକ୍ତ ଘରୋଇ ବା ବ୍ୟକ୍ତିଗତ ବିମାନରେ ୬ଜଣ ଯାତ୍ରୀ ଓ ୨ଜଣ କର୍ମଚାରୀ ଥିଲେ। ଅପରାହ୍ଣ ୨.୦୮ରେ ଅବତରଣ କରିବାକୁ ଯାଉଥିବା ବେଳେ ଉକ୍ତ ବିମାନ ଏଲ୍ମିନା ଟାଉନ୍ସିପ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ସେଲାଙ୍ଗୋର୍ ପୁଲିସ ମୁଖ୍ୟ ହୁସେନ୍ ଓମାର୍ ଖାଁ ସାମ୍ବାଦିକମାନଙ୍କୁ କହିଛନ୍ତି। ବିମାନଟି ‘ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ଟାୱାର୍’ ସହିତ ଯୋଗାଯୋଗ ହରାଇ ରାଜପଥରେ ଯାଉଥିବା ଗୋଟାଏ ବାଇକ୍ ଓ କାର୍ ସହିତ ଧକ୍କାଖାଇଥିଲା। କୌଣସି ‘ଇମର୍ଜେନ୍ସି କଲ୍’ ନ ଥିଲା। ଅବତରଣ ନିମନ୍ତେ ଉକ୍ତ ବିମାନକୁ ‘କ୍ଲିୟରାନ୍ସ୍’ ମିଳିଥିଲା ବୋଲି ସେ କହିଛନ୍ତି। ଜଣେ ବାଇକ୍ ଆରୋହୀ ଓ ଜଣେ କାର୍ ଆରୋହୀ ଏବଂ ବିମାନରେ ଥିବା ୮ଜଣ ବ୍ୟକ୍ତିଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସେଠାରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ମାଲେସିଆର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି, ଲାଙ୍ଗ୍କାୱି ହଲିଡେ’ ଆଇଲାଣ୍ଡ୍ରୁ ଉଡ଼ାଣ ଆରମ୍ଭ କରିଥିବା ଉକ୍ତ ବିମାନ ରାଜଧାନୀ ନଗରୀ କୁଆଲାଲମ୍ପୁର୍ ନିକଟରେ ଥିବା ସିଲାଙ୍ଗୋର୍ର ‘ସୁଲ୍ତାନ୍ ଅବ୍ଦୁଲ୍ ଅଜିଜ୍ ଶାହା ବିମାନ ବନ୍ଦର’ ଅଭିମୁଖେ ଆସୁଥିଲା।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….