ରିପୋର୍ଟ କାର୍ଡ / ଗଞ୍ଜାମ
ସାନଖେମୁଣ୍ଡି ବ୍ଲକ୍ ୬୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଗୌତମୀ ପଞ୍ଚାୟତରେ ଜନସଂପର୍କ ପଦଯାତ୍ରା ବେଳେ ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଉଭୟ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏପରିକି ପଥପ୍ରାନ୍ତ ସଭାରେ ଉପସ୍ଥିତ ଥିବା ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଆଖିକୁ ସାମାନ୍ୟ ଆଘାତ ଲାଗିଥିଲା। ଫଳରେ ଅନ୍ୟ ଦଳୀୟ କର୍ମୀ ତାଙ୍କୁ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରିଥିଲେ। ସୂଚନା ଅନୁସାରେ, ନନ୍ଦିନୀ ଦେବୀଙ୍କ ନେତୃତ୍ବରେ ୬୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ସାହସପୁର, ଗୌତମୀ, କଲରାପଦର, ଏରେଣ୍ଡ୍ରା, ରାଧାଦେଇପୁର ଓ ପାଟପୁର ପଞ୍ଚାୟତରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଗୌତମୀରେ ଆୟୋଜିତ ପଦଯାତ୍ରା ଓ ପଥପ୍ରାନ୍ତ ସଭାରେ ନନ୍ଦିନୀ ଦେବୀଙ୍କ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ବାଇଁ, ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର, ସାଂସଦ ପ୍ରତିନିଧି ଅନ୍ତର୍ଯାମୀ ସ୍ୱାଇଁ ଓ ୬୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ତେବେ ପୂର୍ବତନ ସମିତିସଭ୍ୟ ଜଗନ୍ନାଥ ପାତ୍ର ବକ୍ତବ୍ୟ ପ୍ରଦାନ କରିବାକୁ ହାତରେ ମାଇକ୍ରୋଫୋନ୍ ଧରିବା କ୍ଷଣି ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ହୋହଲ୍ଲା ଆରମ୍ଭ କରିଥିଲେ। ଗୌତମୀ ସରପଞ୍ଚ ଝିଲି ରେଡ୍ଡୀଙ୍କ ସ୍ୱାମୀ ପ୍ରଶାନ୍ତ ରେଡ୍ଡୀଙ୍କ ଗୋଷ୍ଠୀ ବିରୋଧ କରିଥିଲେ। ଭାଷଣ ଦେବାକୁ ରୋକଠୋକ୍ ମନା କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ନନ୍ଦିନୀ ଦେବୀ ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିବା ବେଳେ ହଠାତ୍ ତାଙ୍କ ଆଖିରେ ଆଘାତ ଲାଗିଥିଲା। ଅନ୍ୟମାନେ ତାଙ୍କୁ ସେଠାରୁ ଆଣି ଗାଡ଼ିରେ ବସାଇଥିଲେ। କିଛି ସମୟ ପରେ ସଭା ବନ୍ଦ ହୋଇ ଯାଇଥିଲା। ଉଭୟ ଗୋଷ୍ଠୀ ନନ୍ଦିନୀଙ୍କ ସମର୍ଥକ ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନ ପରଠୁ ସେମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ଜଣାପଡିଛି |






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……