Report Card Odisha

| Daily Odia News

ଆଜି କୁମାର ପୂର୍ଣ୍ଣିମା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ନାମରେ ମଧ୍ୟ ଜଣାଶୁଣା। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ। ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି | କୁମାର ପୂର୍ଣ୍ଣିମାରେ ଶନିବାର ଆଂଶିକ ଚନ୍ଦ୍ରଗ୍ରହଣ ହେବ। ରାତି ୧ ଟା ୪ ମିନିଟ୍‌‌ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇ ରାତି ୨ ଟା ୨୪ ମିନିଟ୍‌‌ ୨ ସେକେଣ୍ଡରେ ସର୍ବମୋକ୍ଷ ହେବ। ଏହା ଭାରତର ସମସ୍ତ ସ୍ଥାନରୁ ମଧ୍ୟରାତ୍ରରୁ ଦୃଶ୍ୟମାନ ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପଞ୍ଜିକାର ବିଧି ଅନୁସାରେ ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌‌ ଆଜି ଅପରାହ୍ଣ ୪ ଟା ୪ ମିନିଟ୍‌‌ ୫୫ ସେକେଣ୍ଡରୁ ରାତି ୨ଟା ୨୪ ମିନିଟ୍‌‌ ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନଭୋଜନ ଓ ଦେବନୀତିକୁ ନିଷେଧ କରାଯାଇଛି। ଏହା ପୂର୍ବରୁ କୁମାର ପୂର୍ଣ୍ଣିମା ଓଷା କରିଥିବା ଝିଅମାନେ ଚଉରାମୂଳେ ପୂଜା କରିବା ଲାଗି ପରାମର୍ଶ ଦିଆଯାଇଛି।

Breaking News